ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଥାନା ଗ୍ରେସିଙ୍ଗିଆ ଗ୍ରାମ ପଞ୍ଚାୟତର ବାଉଡି ଗ୍ରାମରେ ଘର ଭିତରୁ ଜଣେ ମହିଳାଙ୍କ ମୃତ ଦେହ ଜବତ କରିଛି ଘୁ.ଉଦୟଗିରି ପୁଲିସ I ମୃତ ମହିଳା ଜଣକ ହେଲେ ମଦନ ମଲ୍ଲୀକଙ୍କ ସ୍ତ୍ରୀ ରିତିକା ସାହୁ I
ଘଟଣା ଅନୁସାରେ ଗତ ୧୫/୧୦/୨୦୨୧ ତାରିଖରେ ମଦନ ମଲ୍ଲୀକ ମଜୁରୀ କାମ କରିବାକୁ ଯାଇ ଥିଲେ I ଘରେ ମୃତ ମହିଳା ଜଣକ ଦୁଇ ଝିଅଙ୍କ ସହ ଥିଲେ I ମୃତ ମହିଳାଙ୍କ ସ୍ୱାମୀ ଅପରାହ୍ନ ସମୟରେ ଘରକୁ ଫେରି କବାଟ ବନ୍ଦ ହୋଇ ଥିବା ଦେଖିବାକୁ ପାଇ ଥିଲେ I ମଦନ ମଲ୍ଲୀକ କବାଟ ଭାଙ୍ଗି ଘର ଭିତରେ ପଶିବା ପରେ ପୂଜା ଘରେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ପାଇ ଥିଲେ I ଘଟଣା ସମ୍ପର୍କରେ ମୃତ ମହିଳାଙ୍କ ସ୍ୱାମୀ ଶ୍ୱଶୁର ଘର ଏବଂ ପୁଲିସକୁ ଜଣାଇ ଥିଲେ I ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିଥିଲା I ଏହା ସହ ମୃତ ଦେହ ପାଖରେ ଥିବା ପ୍ଲାଷ୍ଟିକ ଛୋଟ ଟେବୁଲ ଓ ଚୁନିରି ମଧ୍ୟ ଜବତ କରିଛି ପୁଲିସ I ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ସଂଖ୍ୟା ୧୪/୨୦୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିବା ପାଇଁ ପଠେଇ ଥିବା ଘଟଣାର ତଦନ୍ତ ଅଧିକାରୀ ବି.ଦଣ୍ଡିଆ ସୂଚନା ଦେଇଛନ୍ତି I ମୃତ ମହିଳାଙ୍କ ବାପା ମୃତ ସମ୍ପର୍କରେ କୌଣସି ଅଭିଯୋଗ ହୋଇନଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି I ମୃତ ମହିଳା ଜଣକ କାହିଁକି ଏଭଳି ପଦକ୍ଷେପ ନେଲେ ତାହାର କାରଣ ଅସ୍ପଷ୍ଟ ରହିଛି I