ଗଛରୁ ଝୁଲନ୍ତା ମୃତ ଦେହ ଠାବ ଘଟଣା, ଉଚ୍ଚସ୍ତରୀୟ ନ୍ୟାୟ ଦାବିରେ ଧାରଣା ଦେଲେ ଗ୍ରାମବାସୀ…

ସିମୋନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଦାରିଙ୍ଗବାଡି ଥାନା ଅନ୍ତର୍ଗତ ମାଣ୍ଡୁବାଡ଼ି ଗ୍ରାମର ବଲାମାହା ଜଙ୍ଗଲର ଏକ ଗଛରୁ କାଜୁରିବାଦେରୀ ଗ୍ରାମର ଭଗବାନ ଦିଗାଳଙ୍କ ପୁଅ ଉଜ୍ଜ୍ଵଳ  ଦିଗାଲଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ ହୋଇଥିଲା । ଏହି ଘଟଣାରେ ଶନିବାର ସକାଳୁ ପରିବାର ଲୋକଙ୍କ ସମେତ ଗ୍ରାମବାସୀ ଉଚ୍ଚସ୍ତରୀୟ ବିଚାର ବିଭାଗୀୟ ତଦନ୍ତ ନେଇ ଦାରିଙ୍ଗବାଡ଼ି ଥାନା ଆଗରେ ଧାରଣା ଦେଇଥିଲେ । ତାଙ୍କୁ ହତ୍ୟା କରି ଗଛରେ ଝୁଲାଇ ଦେଇଥିବା ପରିବାର ଅଭିଯୋଗ କରୁଛନ୍ତି । ଥାନା ଆଗରେ ଧାରଣା ଦେଇ ହତ୍ୟାକାରୀକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି । ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା ଓ ବାଲିଗୁଡ଼ା ଏସ୍‌ଡିପିଓ ଶୁଭମ ଭୋସଲେ ଧାରଣାକାରୀଙ୍କୁ ବୁଝାସୂଝା କରିବା ସହ ସନ୍ଧାନୀ କୁକୁର ସହ‌ଯୋଗରେ ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣାର ୫ ଘଣ୍ଟା ପରେ ଧାରଣରୁ ହଟିଥିଲେ ଗ୍ରାମବାସୀ । ଗତ ସୋମବାର ଉଜ୍ଜଳ ଦିଗାଳ ନିଜ ଗ୍ରାମରୁ  ୧୫ କିମି ଦୂର ଦନେକବାଡ଼ି ପଞ୍ଚାୟତ ଅନ୍ତର୍ଗତ ମାଣ୍ଡୁବାଡ଼ି ଗ୍ରାମକୁ କାମ କରିବାକୁ ଯାଇଥିଲେ । ସାଢେ ୧୦ଟାରେ ମାଣ୍ଡବାଡି ବଲାମାହା ଜଙ୍ଗଲର ଏକ ଗଛରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଥିଲା । ପରିବାର ଲୋକ ହତ୍ୟା ଅଭିଯୋଗ କରିଥିବା ବେଳେ କେଶ ନମ୍ବର ୦୫/୨୦୨୬ ରେ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।