ଭାରସାମ୍ୟ ହରାଇ ବାଇକ ଚାଳକ ମୃତ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅଧୀନ ସୋନପୁର ଗ୍ରାମର ଜଣେ ଯୁବକ ମୋଟର ସାଇକେଲରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ବାରିକେଟରେ ବାଡେଇ ହୋଇ ମୃତ୍ୟୁ ବରଣ କରିଥିବା ଖବର ହସ୍ତଗତ ହୋଇଛି । ମୃତ ଯୁବକ ଜଣକ ସମୀର ବଢ଼ାଇ(୩୦) ସୋନପୁର ଗ୍ରାମର ବୋଲି ଜଣାପଡ଼ିଛି । ସୂଚନା ପ୍ରକାରେ ମୃତ ଯୁବକ ସମୀର କୌଣସି କାମ ନେଇ ଦାରିଙ୍ଗବାଡି ଯାଇ ନିଜ ଗ୍ରାମକୁ ଫେରିବା ବେଳେ ଅସାବଧାନତା ହେତୁ ରାସ୍ତା କଡରେ ଥିବା ଷ୍ଟିଲ ବେରିକଟରେ ଜୋରରେ ଧକ୍କା ହୋଇଥିଲା । ଫଳରେ ବାଇକ ଚାଳକ ଗୁରୁତର ଆହତ ହୋଇ ରାସ୍ତା ଉପରେ ପଡି ରହିଥିଲେ । ଏହା ଦେଖି ଉକ୍ତ ଗ୍ରାମର ଲୋକମାନେ ୧୦୮ ଆମ୍ବୁଲାନ୍ସକୁ ଡାକି ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦାରିଙ୍ଗବାଡ଼ିକୁ ପହଞ୍ଚାଇ ଥିଲେ । ହେଲେ ଡାକ୍ତର ତାକୁ ସେଠାରେ ମୃତ ଘୋଷଣା କରିଥିଲେ । ଖବର ପାଇ ଦାରିଙ୍ଗବାଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଥିବା ସୂଚନା ମିଳିଛି ।