ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସ୍ଥିତ ଗୁଡ୍ରୀପଡ଼ି ସଭା ପଡ଼ିଆରେ ଉଦୟଗିରି ପାଷ୍ଟୋରେଟ୍ ସମ୍ମିଳନୀ, ଫୁଲବାଣୀ ଧର୍ମାଞ୍ଚଳ ପକ୍ଷରୁ ଆୟୋଜିତ ୮୭ତମ ବାର୍ଷିକ ମହାସଭା ମହା ଆନନ୍ଦ ଓ ଆଧ୍ୟାତ୍ମିକ ଉତ୍ସାହର ସହିତ ଉଦଯାପିତ ହୋଇଯାଇଛି । ୩ ଦିନିଆ ଏହି ମହାସଭାର ଶେଷ ଦିନରେ ବିପୁଳ ସଂଖ୍ୟକ ବିଶ୍ୱାଶିମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା ।ଏହି ଅବସରରେ ମହାସଭାରେ ସମସ୍ତ ଅଧିବେଶନ ଆୟୋଜିତ ହୋଇଥିଲା । ପ୍ରତ୍ୟେକ ଅଧିବେଶନରେ ମୁଖ୍ୟ ବକ୍ତାମାନେ “ଖ୍ରୀଷ୍ଟରେ ବୃଦ୍ଧିପ୍ରାପ୍ତ ହେବା” ବିଷୟରେ ଗଭୀର ଆଧ୍ୟାତ୍ମିକ ଉପଦେଶ ଦେଇ ଉପସ୍ଥିତ ବିଶ୍ୱାସୀମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥି ଭାବେ ମହାଚାର୍ଯ୍ୟ ଭାଓଲେଟ୍ ନାୟକଙ୍କ ସହିତ ଅନ୍ୟାନ୍ୟ ବକ୍ତାମାନେ ମଞ୍ଚ ଅଳଙ୍କୃତ କରିଥିଲେ ଓ ଧାର୍ମିକ ବାର୍ତ୍ତା ପ୍ରସ୍ତୁତ କରିଥିଲେ । ଶେଷ ଦିନର ମୁଖ୍ୟ ଆକର୍ଷଣ ଥିଲା ପାଷ୍ଟରେଟ୍ ସ୍ତରରେ କାର୍ଯ୍ୟରତ ପାଷ୍ଟର ଓ ଲେ-ଲିଡରମାନଙ୍କୁ ସମେତ ଅନ୍ୟ ମଣ୍ଡଳୀର ପାଳକମାନଙ୍କୁ ମହାସଭା ପକ୍ଷରୁ ସମ୍ମାନିତ କରାଯାଇଥିଲା । ମହାସଭାର ସଫଳ ପରିଚାଳନା ପାଇଁ ମହାସଭା କମିଟିର ସଦସ୍ୟମାନେ ପବିତ୍ର କୁମାର ନାୟକ, ଭୀମସେନ ନାୟକ, କଇନ ପ୍ରଧାନ, ଆଶିଷ କୁମାର ନାୟକ, ସଦାନନ୍ଦ ନାୟକ, ଜିତେନ୍ଦ୍ର ନାୟକ, ବକ୍ସି ନାୟକ, ଜିଶାୟ ନାୟକ (ଡଡିଙ୍ଗିଆ), ଜିଷାୟ ନାୟକ, ପ୍ରଶାନ୍ତ ନାୟକ (ରାଇକିଆ), ସଞ୍ଜୀବ ନାୟକ, ଦିବାକର ନାୟକ, ଶୁଭେନ୍ଦୁ ନାୟକ, ନୀଳମଣି ପ୍ରଧାନ (ଗ୍ରେସିଙ୍ଗିଆ), ସୁଜିତ କୁମାର ନାୟକ, ଧର୍ମେନ୍ଦ୍ର ନାୟକ, ପ୍ରତ୍ୟୁଷ କୁମାର ନାୟକ ଓ ସିଦ୍ଧେଶ୍ୱର ପ୍ରଧାନ ପ୍ରମୁଖ ବିଭିନ୍ନ ଗୁରୁଦାୟିତ୍ୱ ନିଭାଇ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ସମ୍ପନ୍ନ କରିଥିଲେ । ସମଗ୍ର ମହାସଭା ଆଧ୍ୟାତ୍ମିକ ମାହଲ, ଶୃଙ୍ଖଳା ଓ ଭକ୍ତିମୟ ପରିବେଶ ମଧ୍ୟରେ ସଫଳତାର ସହ ଉଦଯାପିତ ହୋଇଥିବାରୁ ସମସ୍ତଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଯାଇଛି । ଶେଷ ଅଧିବେଶନ ସମୟରେ ଝଡ ସହିତ କିଛି ବର୍ଷା ହୋଇଥିଲା କିନ୍ତୁ ଆସିଥିବା ସମସ୍ତ ବିଶ୍ୱାସୀ ବିଚଳିତ ନ ହୋଇ ଶାନ୍ତି ଶୃଙ୍ଖଳାରେ ଉପସ୍ଥିତ ରହି ଈଶ୍ବରଙ୍କ ବାକ୍ୟ ଶ୍ରବଣ କରି ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ । ଶେଷରେ ଆୟଜକ କମିଟି ସମସ୍ତଙ୍କୁ ଧନ୍ୟବାଦ୍ ଦେଇ କାର୍ଯ୍ୟକ୍ରମ ଶେଷ କରିଥିଲେ ।