ସିଞ୍ଜାକୁଟି ଗ୍ରାମର ରାସ୍ତା ଶୋଚନୀୟ ଅବସ୍ଥା, ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଗର୍ଭବତୀ ମହିଳାଙ୍କ ମୃତ ଅଭିଯୋଗ….

ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ରାଜ୍ୟ ସରକାର ସ୍ୱାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଦୁର୍ଗମ ଅଞ୍ଚଳର ଚିତ୍ର କିନ୍ତୁ କିଛି ଅଲଗା ବୟାନ କରୁଛି । ସିଞ୍ଜାକୁଟି ଗ୍ରାମକୁ ପକ୍କା ରାସ୍ତାଟିଏ ନଥିବାରୁ ସଠିକ ସମୟରେ ଆମ୍ବୁଲାନ୍ସ ପହଞ୍ଚି ନପାରି ଜଣେ ଗର୍ଭବତୀ ମହିଳା ହେମାଲୀ ପାଟମାଝୀ(୨୨)ଙ୍କ ଜୀବନ ଚାଲିଯାଇଛି । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସରାମୂଳି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିଞ୍ଜାକୁଟି ଗ୍ରାମରେ l ସଠିକ ସମୟରେରେ ଆମ୍ବୁଲାନ୍ସ ପହଞ୍ଚି ନ ପାରି ଏକ ଗର୍ଭବତୀ ମହିଳା  ହେମାଲୀ ପାଟମାଝୀ(୨୨)ଙ୍କ ମୃତ୍ୟୁ ଘଟି ଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ କୋଟଗଡ଼ ବ୍ଲକ ଶ୍ରୀରାମପୁର ପଞ୍ଚାୟତ ଅନ୍ତର୍ଗତ ପାଡୁଗୁଡ଼ି ଗ୍ରାମର ଗୋବିନା ପାଟମାଝୀଙ୍କ ଝିଅ ହେମାଲି ପାଟମାଝୀ ଗତ ବର୍ଷ ଦାରିଙ୍ଗବାଡି ବ୍ଲକ ସରାମୁଳି ପଞ୍ଚାୟତର ସିଞ୍ଜାକୁଟି ଗ୍ରାମର ବିଶ୍ୱନାଥ ପାଟମାଝୀଙ୍କ ପୁଅ ଦାନୀଏଲ ପାଟମାଝୀଙ୍କୁ ବିବାହ କରିଥିଲେ । ବିବାହ ପରେ ହେମାଲି ପାଟମାଝୀ ୭ ମାସର ଗର୍ଭବତୀ ଥିଲେ । କିନ୍ତୁ ଗୁରୁବାର ସକାଳେ ହଟାତ ଦେହ ଅସୁସ୍ଥ ହୋଇପଡ଼ିଥିଲା । ହେମାଲି ପାଟମାଝୀଙ୍କ ହଟାତ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ଉକ୍ତ ଗ୍ରାମରେ କୌଣସି ନେଟୱର୍କ ନଥିବା ଯୋଗୁଁ ତୁରନ୍ତ ଏକ ପାହାଡ଼ ଉପରକୁ ଜାଇ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ମାତ୍ର ସିଞ୍ଜାକୁଟି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇଥିବାରୁ ଆମ୍ବୁଲାନ୍ସଟି ଗାଁ ପାଖକୁ ପହଞ୍ଚିବା ସମ୍ଭବ ହୋଇନଥିଲା । ଫଳରେ ୨ କିଲମିଟର ଦୂର ଖଟିଆରେ ବୁହି ଆମ୍ବୁଲାନ୍ସ ପାଖକୁ ପହଞ୍ଚି ଚିକିତ୍ସା ନିମନ୍ତେ ବ୍ରାହ୍ମଣୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ପରିବାର ଲୋକେ । ହେମାଲିଙ୍କ ଦେହ ଅଧିକ ସଂକଟାପନ ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ବ୍ରହ୍ମପୁର ମେଡିକାଲ ନେବା ସମୟରେ ପୁଣି ଅତ୍ୟଧିକ ସଙ୍କଟାପନ ଅବସ୍ଥା ହୋଇ ପଡ଼ିଥିଲେ ହେମାଲି ପାଟମାଝୀ । ଫଳରେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ହେମାଲିଙ୍କ ଚିକିତ୍ସା ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଉକ୍ତ ଗ୍ରାମକୁ ଭଲ ରାସ୍ତାଟିଏ ଥିଲେ ହୁଏତ ଆଜି ହେମାଲି ପାଟମାଝୀ ଓ ତାଙ୍କ ଗର୍ଭରେ ଥିବା ଶିଶୁର ଜୀବନ ବଞ୍ଚିଯାଇଥାନ୍ତା ବୋଲି ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ବାରମ୍ବାର ଦାବି ସତ୍ତ୍ୱେ ମଧ୍ୟ ପ୍ରଶାସନ ପକ୍ଷରୁ ଦୁର୍ଗମ ଅଞ୍ଚଳକୁ ରାସ୍ତା ସଂଯୋଗ କରାଯାଉ ନଥିବାରୁ ଏଭଳି ଅଭାବନୀୟ ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ସିଞ୍ଜାକୁଟି ଗ୍ରାମ ସମେତ ଆଖ ପାଖ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।