ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ଯୋଗୀମାରି ଗ୍ରାମର ସୁବାସ ଚନ୍ଦ୍ର ପ୍ରଧାନଙ୍କ ଗୃହ ସମ୍ମୁଖରେ ରବିବାର ପଞ୍ଚୁଦଣ୍ଡ ଅନୁଷ୍ଠିତ ହୋଇଛି । ଏହି ମହାମିଳନରେ କୁଲାଙ୍ଗୀ, ନାରୀଗୋଛା, କଳିଙ୍ଗପଦର, ପଟ୍ଟାଙ୍ଗି, ତୋଲଡି ଦଣ୍ଡପୁଞ୍ଜା ଅଂଶ ଗହଣ କରିଥିଲେ । ସକାଳ ସମୟରେ ସମସ୍ତ ଦଣ୍ଡ ପୁଞ୍ଜା କର୍ତ୍ତାଙ୍କ ଗୃହ ନିକଟରେ ପହଞ୍ଚିବା ପରେ ପ୍ରାରମ୍ଭିକ ବନ୍ଦନା କାର୍ଯ୍ୟକ୍ରମ ହୋଇଥିଲା । ଏହାପରେ ରୀତିନୀତି ମୁତାବକ ଠାକୁରଙ୍କର ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେବାପରେ ମଧ୍ୟାହ୍ନରେ ଧୂଳିଦଣ୍ଡ, ପାଣି ଦଣ୍ଡ ଓ ଅଗ୍ନିଦଣ୍ଡ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ପଞ୍ଚୁଦଣ୍ଡ ଓ ପଞ୍ଚଶମ୍ଭୁ ମହାମିଳନ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ଆଳତି ଦେଖିବା ଲାଗି ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ଥାନାଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ୱରେ ପୁଲିସ ବାହିନୀ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିଥିଲେ । ଗ୍ରାମବାସୀ ଓ ଯୁବଗୋଷ୍ଠୀ ଏହାକୁ ପରିଚାଳନା କରିଥିଲେ ।