ରାଜ୍ୟସ୍ତରରେ ପୁରସ୍କୃତ ହେଲା ଭଞ୍ଜନଗର ଏସଏନସିୟୁ….

ଭଞ୍ଜନଗର(ନିଲୁ ବିଷୋୟୀ): ନବଜାତ ଶିଶୁଙ୍କ ଉତ୍ତମ ଚିକିତ୍ସା ଓ ଯତ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପ୍ରଦାନ କରି ରାଜ୍ୟସ୍ତରରେ ଗୌରବ ଅର୍ଜନ କରିଛି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ କେନ୍ଦ୍ର(ଏସଏନସିୟୁ) । ୨୦୨୬ ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ଉତ୍କୃଷ୍ଟ ସେବା ପ୍ରଦାନ ପାଇଁ ଜାତୀୟ ନବଜାତ ଶିଶୁ ସପ୍ତାହ ଅବସରରେ ଏହି କେନ୍ଦ୍ରକୁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରାଯାଇଛି । ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମ୍ମିଳନୀରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ପୁରସ୍କାର ପ୍ରଦାନ କରିଥିଲେ । ଏଥିସହ ଭଞ୍ଜନଗର ଏସଏନସିୟୁର ସମସ୍ତ କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରି ଆଗକୁ ମଧ୍ୟ ଏହିଭଳି ସେବା ଜାରି ରଖିବାକୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବାତ୍ୟା ଅର୍ଣ୍ଣବ ଓ ଅକ୍ୱାନ୍‌ ପରବର୍ତ୍ତୀ ପ୍ରବଳ ବର୍ଷା ଓ ବନ୍ୟା ସମୟରେ ଗଞ୍ଜାମ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ଓ କର୍ମଚାରୀମାନଙ୍କ ଉଲ୍ଲେଖନୀୟ ସେବାକୁ ମଧ୍ୟ ମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ । ଜିଲ୍ଲାର ସ୍ୱାସ୍ଥ୍ୟ ପ୍ରଶାସନ ବିପର୍ଯ୍ୟୟ ପୂର୍ବରୁ ସମୟରେ ଓ ପରବର୍ତ୍ତୀ ସମୟରେ ଉତ୍ତମ ସେବା ଯୋଗାଇଥିବାରୁ ସମଗ୍ର ଟିମ୍‌କୁ ସାଧୁବାଦ ଜଣାଇଥିଲେ । ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ଏହି ସଫଳତା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଉମାକାନ୍ତ ସାହୁ, ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଏବଂ ନବଜାତ ଶିଶୁ ଯତ୍ନ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସମସ୍ତଙ୍କ ମିଳିତ ପ୍ରୟାସ, ନିଷ୍ଠା ଓ ସମର୍ପଣ ଯୋଗୁଁ ଏହି ସଫଳତା ମିଳିଥିବା ସେ କହିଛନ୍ତି ।