ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ୯ ଦଫା ଦାବିପତ୍ର ପ୍ରଦାନ, ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ ଦେଲେ ରଟିଙ୍ଗିଆ ପଞ୍ଚାୟତବାସୀ….:

ଅନୁସନ୍ଧାନ ଭାରତ(ବ୍ୟୁର); ଦୀର୍ଘ ବର୍ଷର ଅବହେଳା, ମୌଳିକ ସୁବିଧାର ଅଭାବ ଏବଂ ପ୍ରଶାସନିକ ଉଦାସୀନତାରେ ଅତିଷ୍ଠ ହୋଇ ଶେଷରେ ନିଜ ହକ୍ ଓ ଅଧିକାର ପାଇଁ ଏକଜୁଟ ହୋଇଛନ୍ତି ରଟିଙ୍ଗିଆ ପଞ୍ଚାୟତବାସୀ । ଅଞ୍ଚଳର ବିକାଶ ଓ ଜନସାଧାରଣଙ୍କ ମୌଳିକ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ସରପଞ୍ଚ ବିଷ୍ଣୁଦେବ ପ୍ରଧାନଙ୍କ ଅଧ୍ୟକ୍ଷତାରେ ସାଧାରଣ ନାଗରିକ କମିଟି ପକ୍ଷରୁ ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ)ଙ୍କୁ ୯ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ସହ ବିଡିଓଙ୍କ ସହ ଆଲୋଚନା କରି ପଞ୍ଚାୟତର ଦୀର୍ଘଦିନର ଅବହେଳିତ ସମସ୍ୟାଗୁଡ଼ିକ ପ୍ରତି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ବିକାଶର ବଡ଼ ବଡ଼ ପ୍ରତିଶ୍ରୁତି ମଧ୍ୟରେ ଗ୍ରାମାଞ୍ଚଳର ମୌଳିକ ଆବଶ୍ୟକତା ଅପୂରଣୀୟ ରହିବା ଦୁର୍ଭାଗ୍ୟଜନକ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି । ପଞ୍ଚାୟତବାସୀଙ୍କ ମୁଖ୍ୟ ୯ ଦଫା ଦାବି ମଧ୍ୟରେ ରହିଛି ରଟିଙ୍ଗିଆ ପଞ୍ଚାୟତରେ ବୃହତ୍ ଆଦିବାସୀ ବହୁମୁଖୀ ସମବାୟ ସମିତି (LAMPCS) ସ୍ଥାପନ, ଅର୍ଣ୍ଣବ ବାତ୍ୟାରେ କ୍ଷତିଗ୍ରସ୍ତ ମୁଖ୍ୟ ସଡ଼କରେ ଉନ୍ନତମାନର ବ୍ରିଜ୍ ନିର୍ମାଣ ସହ ମଧୁଝରି ଘାଇ ହିଡ଼ର ମରାମତି, ଦୀର୍ଘଦିନର ଦାବି ଅନୁଯାୟୀ ରଟିଙ୍ଗିଆରେ ଜିଓ ମୋବାଇଲ୍ ଟାୱାର ସ୍ଥାପନ, ରାଜସ୍ୱ ସମ୍ବନ୍ଧୀୟ ସମସ୍ୟାର ସହଜ ସମାଧାନ ପାଇଁ ରଟିଙ୍ଗିଆରେ ନୂତନ ରାଜସ୍ୱ ନିରୀକ୍ଷକ (RI) କାର୍ଯ୍ୟାଳୟ ସ୍ଥାପନ, ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ତୁରନ୍ତ କାର୍ଯ୍ୟକ୍ଷମ କରି ସ୍ୱାସ୍ଥ୍ୟସେବା ଯୋଗାଣ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ଶିକ୍ଷକ ନିଯୁକ୍ତି, ଯାତ୍ରୀଙ୍କ ସୁବିଧା ପାଇଁ ଯାତ୍ରୀ ବିଶ୍ରାମାଗାର ଓ ସାଧାରଣ ଲୋକଙ୍କ ପାଇଁ ଗୋଷ୍ଠୀ ପରିସ୍ରାଗାର ନିର୍ମାଣ, ପଶୁ ଚିକିତ୍ସାଳୟକୁ ନିୟମିତ ଖୋଲାଯିବା ସହ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଉପସ୍ଥିତି ସୁନିଶ୍ଚିତ କରି ପଶୁପାଳକଙ୍କୁ ଆବଶ୍ୟକୀୟ ଚିକିତ୍ସାସେବା ପ୍ରଦାନ, କଲ୍ୟାଣମଣ୍ଡପ ପରିବର୍ତ୍ତେ ଅଞ୍ଚଳବାସୀଙ୍କ ଆବଶ୍ୟକତା ଓ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ବଜାରଗୃହ ନିର୍ମାଣ ଆଦି ଦାବି ଗୁଡ଼ିକ ରହିଛି । ରଟିଙ୍ଗିଆ ପଞ୍ଚାୟତରେ ରାସ୍ତାଘାଟ, ଯୋଗାଯୋଗ, ସ୍ୱାସ୍ଥ୍ୟ, ଶିକ୍ଷା, ରାଜସ୍ୱ ଓ ପଶୁ ଚିକିତ୍ସା ଭଳି ଅତ୍ୟାବଶ୍ୟକ କ୍ଷେତ୍ରରେ ରହିଥିବା ଅଭାବ ଲୋକଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଛି । ବିଶେଷକରି ଅର୍ଣ୍ଣବ ବାତ୍ୟାରେ ଭାଙ୍ଗିଯାଇଥିବା ମୁଖ୍ୟ ସଡ଼କ ଦେଖିବା ପାଇଁ ମାନ୍ୟବର ମନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ, ‌ଓଡ଼ିଶା ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ପରିଦର୍ଶନ ପରେ ମଧ୍ୟ ଅବହେଳିତ ହୋଇ ପଡ଼ିଛି । ଏଥି ସହିତ ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ନହେବା ଏବଂ ପଶୁ ଚିକିତ୍ସାଳୟରେ ନିୟମିତ ସେବା ନମିଳିବା ଅଞ୍ଚଳବାସୀଙ୍କ ଚିନ୍ତାକୁ ଅଧିକ ବଢ଼ାଇଛି । ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଏହି ଦାବିଗୁଡ଼ିକ କୌଣସି ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ନୁହେଁ ବରଂ ସମଗ୍ର ପଞ୍ଚାୟତର ଜନସାଧାରଣଙ୍କ ମୌଳିକ ଅଧିକାର, ସୁବିଧା ଓ ଭବିଷ୍ୟତର ବିକାଶ ପାଇଁ ଜରୁରୀ । ତେଣୁ ଦାବିଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରି ସମୟସୀମା ମଧ୍ୟରେ ସମାଧାନ କରିବାକୁ ସେମାନେ ପ୍ରଶାସନ ନିକଟରେ ଦାବି ରଖିବା ସହ ଦାବୀ ପୁରଣ ନ ହେଲେ ପଞ୍ଚାୟତବାସୀ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ସ୍ପଷ୍ଟ ଚେତାବନୀ ଦେଇଛନ୍ତି । ଏହି ଦାବିପତ୍ର କେବଳ ଏକ ସ୍ମାରକପତ୍ର ନୁହେଁ ବରଂ ରଟିଙ୍ଗିଆ ପଞ୍ଚାୟତର ସାମୂହିକ ଜନଆକାଂକ୍ଷା ଓ ବିକାଶ ପାଇଁ ଏକ ସ୍ୱର ବୋଲି ଅଞ୍ଚଳରେ ମତ ପ୍ରକାଶ ପାଇଛି । ଦାବିପତ୍ର ପ୍ରଦାନ ସମୟରେ ବ୍ଲକ୍ ଉପାଧ୍ୟକ୍ଷ ଏନ୍. ଲୁକ, ସାଧାରଣ ନାଗରିକ କମିଟିର ସଭାନେତ୍ରୀ ଦମ୍ବିକା ନାୟକ, ସମ୍ପାଦକ ବିକି ପ୍ରଧାନ, ସମାଜସେବୀ ହୃଷିକେଶ ପ୍ରଧାନ, ସଦାନନ୍ଦ ନାୟକ, ମିଲନ ନାୟକ, ଅମିତ୍ ନାୟକ, ବିଧୁଭୂଷଣ ପ୍ରଧାନ, ଚକ୍ରବର୍ତ୍ତୀ ପ୍ରଧାନ, ଡି. ସବନମ, ବ୍ଲେସି ପ୍ରଧାନ, ବିରାଜ କୁମାର ପ୍ରଧାନ, ସିଦ୍ଧାନ୍ତ ରଞ୍ଜନ ପ୍ରଧାନ, ଆରିୟାନ୍ସ ମଲ୍ଲିକ, ସୁମନ୍ତ ପ୍ରଧାନ ଓ ସାନ୍ତୁନ ପ୍ରଧାନଙ୍କ ସମେତ ଅଞ୍ଚଳର ଶତାଧିକ ପୁରୁଷ ମହିଳା ଏବଂ ବୁଦ୍ଧିଜୀବୀ ସହ ଅଞ୍ଚଳର ଶୁଭାକାଙକ୍ଷୀ ଉପସ୍ଥିତ ଥିଲେ ।