ଦାରିଙ୍ଗବାଡ଼ି(ଅଶୋକ ସିଂ): ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିବାର ଏକ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରତିଶ୍ରୁତି ମୁତାବକ କ୍ଷତିପୂରଣ ନ ମିଳିବାରୁ ବୁଧବାର ବ୍ରହ୍ମପୁରରୁ ସାରାମୁଳି ଯାଉଥିବା ମହାଲକ୍ଷ୍ମୀ ନାମକ ଘରୋଇ ବସ୍କୁ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ । ସୂଚନା ଅନୁଯାୟୀ, ୨୦୨୫ ନଭେମ୍ବର ୭ ତାରିଖରେ ବଡ଼ଶଙ୍ଖ ନିକଟରେ ମହାଲକ୍ଷ୍ମୀ ବସ୍ ଧକ୍କାରେ ବାଇକ୍ ଆରୋହୀ ପ୍ରକାଶ ବଡ଼ାଇକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ କଲେଜ ଛାତ୍ରୀ ପୂଜା ପାତ୍ର ଆହତ ହୋଇଥିଲେ । ସେତେବେଳେ ଉତ୍ତ୍ୟକ୍ତ ଅଞ୍ଚଳବାସୀ ରାସ୍ତାରୋକ କରିବା ପରେ ବସ୍ ମାଲିକ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ ଏବଂ ବଳକା ୩୦ ହଜାର ଟଙ୍କା ଦେବା ସହ ଆହତ ଛାତ୍ରୀଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଦୀର୍ଘ ଏକ ବର୍ଷ ପରେ ମଧ୍ୟ ପ୍ରତିଶ୍ରୁତି ପୂରଣ ହୋଇନଥିବା ଅଭିଯୋଗ ହୋଇଛି । ମଧ୍ୟସ୍ଥି ଟୁକୁନା ମହାନ୍ତି ବାରମ୍ବାର ବସ୍ ମାଲିକଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ୍ ଉଠାଉ ନଥିବା ଅଭିଯୋଗ ହୋଇଛି । ଫଳରେ ଲୋକେ ବସ୍ଟିକୁ ଅଟକ ରଖିଛନ୍ତି । ମାଲିକ ତୁରନ୍ତ କ୍ଷତିପୂରଣ ପ୍ରଦାନ ଓ ଆହତଙ୍କ ଚିକିତ୍ସା ବ୍ୟବସ୍ଥା ନ କଲେ ମହାଲକ୍ଷ୍ମୀ କମ୍ପାନୀର ଅନ୍ୟ ବସ୍ଗୁଡ଼ିକୁ ମଧ୍ୟ ଅଟକ ରଖାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।