ଦାରିଙ୍ଗବାଡ଼ିରେ ଭୀମଭୋଇ ସାମର୍ଥ୍ୟ ଶିବିର: ୩୮୨ ଜଣଙ୍କ ପଞ୍ଜୀକରଣ, ୧୧ଟି ସହାୟକ ଉପକରଣ ବଣ୍ଟନ….

ଦାରିଙ୍ଗବାଡ଼ି(ଅଶୋକ ସିଂ): ଭିନ୍ନକ୍ଷମଙ୍କୁ ସରକାରୀ ଯୋଜନାରେ ସାମିଲ କରିବା ସହ ଆବଶ୍ୟକ ସହାୟକ ଉପକରଣ ଯୋଗାଇଦେବା ଲକ୍ଷ୍ୟରେ ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଶିବିରରେ ମୋଟ ୩୮୨ ଜଣଙ୍କ ପଞ୍ଜୀକରଣ ହୋଇଥିବା ବେଳେ ସେଥିମଧ୍ୟରୁ ୪୮ ଜଣ ଦୃଷ୍ଟିବାଧିତ, ୯୦ ଜଣ ମସ୍ତିଷ୍କ ପକ୍ଷାଘାତ(ସେରେବ୍ରାଲ ପାଲସି), ୧୬୨ ଜଣ ଅସ୍ଥିଜନିତ ଭିନ୍ନକ୍ଷମ, ୫୭ ଜଣ ଶ୍ରବଣବାଧିତ ଏବଂ ୨୫ ଜଣ ସିକଲ୍ ସେଲ୍ ରୋଗାକ୍ରାନ୍ତ ହିତାଧିକାରୀ ରହିଥିଲେ । ଏହି ଅବସରରେ ହିତାଧିକାରୀଙ୍କୁ ୮ଟି ହ୍ୱିଲ୍‌ଚେୟାର, ୨ଟି ଚାଲିବା ବାଡ଼ି ଓ ଗୋଟିଏ ଆକ୍ସିଲାରୀ କ୍ରଚ୍‌ ସମେତ ମୋଟ ୧୧ଟି ସହାୟକ ଉପକରଣ ପ୍ରଦାନ କରାଯାଇଥିଲା । ଶିବିରରେ ଚକ୍ଷୁ ବିଶେଷଜ୍ଞ ଡା.ଅରବିନ୍ଦ ଦାସ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ଚିନ୍ମୟ କୁମାର ପ୍ରଧାନ, ମେଡିସିନ୍ ବିଶେଷଜ୍ଞ ଡା.ଉତ୍କଳ କେଶରୀ ବେହେରା, ଶିଶୁରୋଗ ବିଶେଷଜ୍ଞ ଡା.ପ୍ରଦୀପ କୁମାର ବେହେରା, ନାକ, କାନ ଓ ଗଳା ବିଶେଷଜ୍ଞ ଡା.ସତ୍ୟବ୍ରତ ସାହୁ ଏବଂ ଅଡିଓଲୋଜିଷ୍ଟ ଓ ସ୍ପିଚ୍ ଥେରାପିଷ୍ଟ ବସନ୍ତ କୁମାର ପାଲେଇ ଉପସ୍ଥିତ ରହି ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏଥିସହ ବରିଷ୍ଠ ସହାୟକ ମନୋଜ କୁମାର ପଣ୍ଡା ଓ ୟୁଡିଆଇଡି ସହାୟକ ହେମନ୍ତ କୁମାର ମେହେର ଉପସ୍ଥିତ ଥିଲେ । ବିଏସ୍‌ଏସ୍‌ଓ ଆଲିଶା ବିଶୋଇଙ୍କ ନେତୃତ୍ୱରେ ପାରାମେଡିକାଲ କର୍ମଚାରୀ ଓ ବ୍ଲକ କର୍ମଚାରୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଏଭଳି ଶିବିର ମାଧ୍ୟମରେ ଭିନ୍ନକ୍ଷମଙ୍କୁ ସରକାରୀ ସୁବିଧା ଓ ଆବଶ୍ୟକ ସହାୟତା ଯୋଗାଇଦେବା ପ୍ରଶାସନର ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।