ଦାରିଙ୍ଗବାଡ଼ି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ୮ଟି ପଞ୍ଚାୟତର ଜନସାଧାରଣଙ୍କୁ ନେଇ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଆଞ୍ଚଳିକ ପରିଷଦ ପକ୍ଷରୁ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା । ସଭାରେ ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚ୍ଚାର କନ୍ଧମାଳ ଜିଲ୍ଲା ସଭାପତି ପ୍ରଶାନ୍ତ ପ୍ରଧାନ ମୁଖ୍ୟ ଅତିଥି ଏବଂ ପୂର୍ବତନ ସମିତି ଅଧ୍ୟକ୍ଷ ରମାକାନ୍ତ ବଳିଆରସିଂ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଜିଲ୍ଲା ଆବାହକ ବିକ୍ରମ ବସ୍ତିରାୟ, ରାଷ୍ଟ୍ରୀୟ ମୂଳନିବାସୀ ସଂଘର ଦାରିଙ୍ଗବାଡ଼ି ବ୍ଲକ ସଭାପତି ସନ୍ତୋଷ ପ୍ରଧାନ, ପାଣିଗଣ୍ଡାର ନାଏବ ସରପଞ୍ଚ ଗୁଣନିଧି, ଚାଷୀ ମୂଲିଆ ସଂଘର ଆବାହକ ବଳଭଦ୍ର ମଳିକ ଓ ଚିତ୍ରସେନ କାର୍ଜିମାଝି ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବା ସାହେବ ଡ.ଭୀମରାଓ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଅତିଥିମାନେ ଦୀପ ପ୍ରଜ୍ୱଳନ କରିଥିଲେ । ସାମ୍ବିଧାନିକ ନ୍ୟାୟ, ହକ୍ ଓ ଅଧିକାରର ସୁରକ୍ଷା ତଥା ସମ୍ବିଧାନ ବଞ୍ଚାଅ ଅଭିଯାନ ଉପରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଆମ୍ବେଦକରଙ୍କ ନୀତି ଓ ଆଦର୍ଶକୁ ଆଧାର କରି ସମ୍ବିଧାନ ବଞ୍ଚାଅ ଅଭିଯାନକୁ ଆଗେଇ ନେବା ପାଇଁ ୧୫ ଜଣିଆ କମିଟି ଗଠନ କରାଯାଇଥିଲା । କମିଟିର କାର୍ଯ୍ୟ ପରିଚାଳନା ଦାୟିତ୍ୱ ତରୁଣ କୁମାର ନାୟକ ଓ ବେଞ୍ଜାମିନ ମାଝୀଙ୍କୁ ପ୍ରଦାନ କରାଯାଇଛି । ଆଗାମୀ ଦିନରେ କମିଟି ଅଞ୍ଚଳବାସୀଙ୍କ ମଧ୍ୟରେ ଆମ୍ବେଦକରଙ୍କ ବିଚାରଧାରା ଓ ସାମ୍ବିଧାନିକ ମୂଲ୍ୟବୋଧର ପ୍ରଚାରପ୍ରସାର କରିବ ବୋଲି ମତ ପ୍ରକାଶ ପାଇଥିଲା । ସ୍ୱେଚ୍ଛାସେବୀ ତଥା ଆବାହକ ପ୍ରଶାନ୍ତ ନାୟକ ଅତିଥି ପରିଚୟ ପ୍ରଦାନ ସହ ସଭା ପରିଚାଳନା କରିଥିବା ବେଳେ ଅଶୋକ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।