ଭଞ୍ଜନଗର,(ନିଲୁ ବିଷୋୟୀ): ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଂକ୍ଷିପ୍ତ ମତଦାତା ତାଲିକା ସଂଶୋଧନ (ଏସ୍ଏସ୍ଆର୍)-୨୦୨୭କୁ ନେଇ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ବୈଠକ ଅନୁଷ୍ଠିତ ହୋଇଛି । ଭଞ୍ଜନଗର, ଆସିକା ଓ ସୋରଡ଼ା ନିର୍ବାଚନମଣ୍ଡଳୀର ଇଆରଓମାନେ ଯୋଗଦେଇ ସଂଶୋଧନ ପ୍ରକ୍ରିୟା ଓ କାର୍ଯ୍ୟସୂଚୀ ସମ୍ପର୍କରେ ଆଲୋଚନା କରିଥିଲେ । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ନଭେମ୍ବର ୩୦ରେ ଖସଡ଼ା ମତଦାତା ତାଲିକା ପ୍ରକାଶ ପାଇବ । ଡିସେମ୍ବର ୩୦ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ ଏବଂ ୨୦୨୭ ଜାନୁଆରୀ ୨୧ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଯୋଗ୍ୟ ଯୁବ ମତଦାତାଙ୍କୁ ତାଲିକାରେ ସାମିଲ କରିବା ସହ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଁ ରାଜନୈତିକ ଦଳଙ୍କ ସହଯୋଗ ଲୋଡ଼ାଯାଇଥିଲା । ବୈଠକରେ ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ସମେତ ଆସିକା ଓ ସୋରଡ଼ା ନିର୍ବାଚନମଣ୍ଡଳୀର ଇଆରଓ ଏବଂ ନିର୍ବାଚନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।