ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ସହରରେ ବେଆଇନ ତମାଖୁ ଓ ଗୁଟଖା ବିକ୍ରି ଉପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ଧରପଗଡ଼ କରାଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସ୍ୱାସ୍ଥ୍ୟ, ଅବକାରୀ ଓ ପୁଲିସ ବିଭାଗର ମିଳିତ ଟିମ୍ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ । ବିଶେଷ କରି ସ୍କୁଲ ଓ କଲେଜ ନିକଟରେ ଥିବା ଦୋକାନଗୁଡ଼ିକରେ ତମାଖୁ ଓ ଗୁଟଖା ବିକ୍ରି ଉପରେ ଯାଞ୍ଚ କରାଯିବା ସହ ବ୍ୟବସାୟୀମାନଙ୍କୁ ଏଭଳି ବେଆଇନ ସାମଗ୍ରୀ ବିକ୍ରିରୁ ନିବୃତ୍ତ ରହିବାକୁ ସଚେତନ କରାଯାଇଥିଲା । ନିୟମ ଉଲ୍ଲଂଘନ କରୁଥିବା କିଛି ବ୍ୟବସାୟୀଙ୍କୁ ଜରିମାନା ମଧ୍ୟ କରାଯାଇଥିଲା । ଚଢ଼ଉ ସମୟରେ କେତେକ ଦୋକାନରେ ଉତ୍ତେଜନା ଦେଖାଦେଇଥିବା ବେଳେ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଥିଲା । ସହରର ବିଭିନ୍ନ ସ୍କୁଲ ଅଞ୍ଚଳ, ବସ୍ଷ୍ଟାଣ୍ଡ, ପେଟ୍ରୋଲ ପମ୍ପ ଛକ, ଭେଜିପୁଟ ଓ କଲେଜ ରୋଡ୍ ଆଦି ସ୍ଥାନରେ ଏହି ଚଢ଼ଉ କରାଯାଇଥିଲା । ଏଥିରେ ଏନ୍ଟିସିପି କର୍ମଚାରୀ ଅନନ୍ତ କୁମାର ନାୟକ, ଡ୍ରଗ୍ସ ଇନ୍ସପେକ୍ଟର ପଦ୍ମିନୀ କହଁର, ଅବକାରୀ ଅଧିକାରୀ ବିଭୂ ପ୍ରସାଦ ସାହୁ ଓ ପୁଲିସ ଏସ୍ଆଇ ସୁବ୍ରତ କୁମାର ଲେଙ୍କାଙ୍କ ସମେତ ବିଭାଗୀୟ କର୍ମଚାରୀ ସାମିଲ ହୋଇଥିଲେ ।