କୁଳିପଦର ପିଏମଶ୍ରୀ ବିଦ୍ୟାଳୟରେ ବ୍ଲକ୍‌ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ….

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲାର ମୋହନା ବ୍ଲକ୍ ଅନ୍ତର୍ଗତ ପିଏମ୍‌ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଶିକୁଳିପଦରଠାରେ ବ୍ଲକ୍‌ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୬-୨୭ ଆୟୋଜିତ ହୋଇଯାଇଛି । “ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ମାଧ୍ୟମରେ ଏକ ସ୍ଥାୟୀ ଓ ବିକଶିତ ଭାରତ” (Science, Technology and Innovation for a Sustainable and Viksit Bharat) ବିଷୟବସ୍ତୁକୁ ଆଧାର କରି ଏହି ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଏହି ପ୍ରଦର୍ଶନୀରେ ମୋଟ ୧୧୫ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ସାତଟି ଉପବିଷୟ ଅନ୍ତର୍ଗତ ଛାତ୍ରଛାତ୍ରୀମାନେ ନିଜର ବୈଜ୍ଞାନିକ ଚିନ୍ତାଧାରା, ସୃଜନଶୀଳତା, ନବସୃଜନ ଓ ଗବେଷଣାମୂଳକ ଦକ୍ଷତାର ପରିଚୟ ଦେଇଥିଲେ । ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ବିଜ୍ଞାନର ବ୍ୟବହାରିକ ପ୍ରୟୋଗ ଓ ଦୈନନ୍ଦିନ ଜୀବନର ସମସ୍ୟା ସମାଧାନ ପାଇଁ ଛାତ୍ରଛାତ୍ରୀମାନଙ୍କ ଉଦ୍ୟମ ପ୍ରତିଫଳିତ ହୋଇଥିଲା । କାର୍ଯ୍ୟକ୍ରମରେ ମୋହନା ବ୍ଲକ୍‌ର ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ବୀରେନ୍ଦ୍ର ମଣ୍ଡଳ, ମୋହନା ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ରଞ୍ଜୀବ ଶବର, ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ମଦନ କହଁର, ସିକୁଳିପଦର ସରପଞ୍ଚ ଶ୍ରୀ ସତ୍ୟନାରାୟଣ ଦଣ୍ଡସେନା, ବିଦ୍ୟାଳୟର ଏସ୍‌ଏମ୍‌ସି ସଭାପତି ଶ୍ରୀ ନିରଞ୍ଜନ ସାହୁ ଏବଂ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସୁଭଦ୍ରା ଦେବୀ ଉପସ୍ଥିତ ଥିଲେ । ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ ପାଇଁ ଜୁରି ସଦସ୍ୟ ଭାବେ ଶ୍ରୀ ସୁଶାନ୍ତ କୁମାର ବେହେରା ଓ ଶ୍ରୀ ସରୋଜ କୁମାର ସିଂହ ଦାୟିତ୍ୱ ତୁଲାଇଥିଲେ । ବ୍ଲକ୍ ବିଜ୍ଞାନ ସଂଯୋଜକ ଶ୍ରୀ ବାଳକୃଷ୍ଣ ବାଘସିଂ ଓ ଶ୍ରୀ ଏମ୍. ଦିଲୀପ କୁମାର ପ୍ରଦର୍ଶନୀର ସଂଯୋଜନା ଓ ପରିଚାଳନାରେ ସହଯୋଗ କରିଥିଲେ । ସାତଟି ଉପବିଷୟରୁ ଶ୍ରେଷ୍ଠ ପ୍ରକଳ୍ପଗୁଡ଼ିକୁ ଚୟନ କରାଯାଇଥିଲା । ପ୍ରତ୍ୟେକ ଉପବିଷୟରୁ ଜଣେ ଲେଖାଏଁ, ମୋଟ ୭ ଜଣ ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀରେ ମୋହନା ବ୍ଲକ୍‌ର ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ ହୋଇଥିଲେ । ଏହି ପ୍ରଦର୍ଶନୀର ସଫଳ ଆୟୋଜନରେ ପିଏମ୍‌ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଶିକୁଳିପଦରର ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ଅବଦାନ ଉଲ୍ଲେଖନୀୟ ଥିଲା । ସେମାନଙ୍କ ମଧ୍ୟରେ ଶ୍ରୀ ଲିଙ୍ଗରାଜ ବଡ଼ମୁଣ୍ଡି, ଶ୍ରୀ ରଞ୍ଜନ ମଣ୍ଡଳ, ଶ୍ରୀ କୃଷ୍ଣଚନ୍ଦ୍ର ଖଣ୍ଡୁଆଳ, ଶ୍ରୀମତୀ ଦିତିକୃଷ୍ଣା ପ୍ରଧାନ, ଶ୍ରୀ ସୁରେଶ ରଇତ, ଶ୍ରୀ ମନୋଜ ଦଳେଇ, ଶ୍ରୀମତୀ ପ୍ରିୟମ୍ବତା ରଇତ, ଶ୍ରୀ ଜଗନ୍ନାଥ ମାଝୀ, ଶ୍ରୀ ଶିବରାମ ଗମାଙ୍ଗ, ଶ୍ରୀମତୀ ଶିବାନୀ ମହାନ୍ତି, ଶ୍ରୀ ପ୍ରଦୀପ ମିଶ୍ର, ଶ୍ରୀ ଜୟରାମ ପ୍ରଧାନ, ଶ୍ରୀମତୀ ବବି ପ୍ରଧାନ, ଶ୍ରୀମତୀ ପ୍ରିୟଙ୍କା ମହାରଣା, ଶ୍ରୀମତୀ ସୀମା ମିଞ୍ଜ, ଶ୍ରୀ ନୀଳାଞ୍ଚଳ ନାୟକ, ଶ୍ରୀ ବସନ୍ତ ବାଘସିଂ, ଶ୍ରୀ ସୁଧୀର ପାଣିଗ୍ରାହୀ ଓ ଶ୍ରୀମତୀ ସୌଭାଗ୍ୟବତୀ ପ୍ରଧାନ ପ୍ରମୁଖ ଥିଲେ । ଏହି ବୈଜ୍ଞାନିକ ପ୍ରଦର୍ଶନୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ, ଅନୁସନ୍ଧାନମୂଳକ ଚିନ୍ତନ, ସମସ୍ୟା ସମାଧାନ କ୍ଷମତା ଓ ନବସୃଜନର ଉତ୍ସାହ ବୃଦ୍ଧି କରିବା ସହିତ ଭବିଷ୍ୟତର ବିଜ୍ଞାନୀ ଓ ଗବେଷକ ସୃଷ୍ଟି କରିବାରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ପରିଗଣିତ ହୋଇଛି । କାର୍ଯ୍ୟକ୍ରମର ସଫଳତା ପାଇଁ ଆୟୋଜକ ବିଦ୍ୟାଳୟ, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ସମସ୍ତ ସହଯୋଗୀଙ୍କ ଅବଦାନ ପ୍ରଶଂସନୀୟ ଥିଲା ।