ଦଣ୍ଡନାଚ ମାଧ୍ୟମରେ ଚାଷୀଙ୍କୁ ସଚେତନତା, ଦାରିଙ୍ଗବାଡ଼ିରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ….

ଦାରିଙ୍ଗବାଡ଼ି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଆଇଟିଆଇ ପଡ଼ିଆଠାରେ ଶୁକ୍ରବାର ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ମେଳାରେ ପାରମ୍ପରିକ ଲୋକକଳା ଦଣ୍ଡନାଚ ମାଧ୍ୟମରେ ଚାଷୀଙ୍କୁ ସରକାରୀ ଯୋଜନା, ଋଣ ଓ ରିହାତି ସୁବିଧା ସମ୍ପର୍କରେ ସଚେତନ କରାଯାଇଥିଲା । ଗୀତ, ନୃତ୍ୟ ଓ ଅଭିନୟ ଜରିଆରେ କଳାକାରମାନେ ଗୋପାଳନ, ଛେଳି, ଘୁଷୁରି ଓ କୁକୁଡ଼ା ପାଳନ ସହ ମାଛ ଚାଷ ମାଧ୍ୟମରେ କିପରି ଆତ୍ମନିଯୁକ୍ତି ଓ ଆୟ ବୃଦ୍ଧି କରାଯାଇପାରିବ ସେନେଇ ସରଳ ଭାବେ ବୁଝାଇଥିଲେ । ବିଶେଷକରି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଦୁଇଟି ଗାଈ ପାଳନ କରି ଆୟ ବଢ଼ାଇବା ସମ୍ପର୍କରେ ଦଣ୍ଡନାଚ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା । ଏଥିସହ ଗୃହପାଳିତ ପ୍ରାଣୀଙ୍କ ଯତ୍ନ, ଚିକିତ୍ସା ଓ ପାଳନ ପାଇଁ ଉପଲବ୍ଧ ସରକାରୀ ଋଣ ଏବଂ ରିହାତି ସୁବିଧା ବିଷୟରେ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା । ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରୀତମ ପ୍ରୀତିମାନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମେଳାରେ ବିଡିଓ ପ୍ରୀତିରଞ୍ଜନ ରଥ, କନ୍ଧମାଳ ସାଂସଦଙ୍କ ମୁଖ୍ୟ ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ, ବିଭାଗୀୟ ପ୍ରତିନିଧି ବିରଞ୍ଚି ନାରାୟଣ ସାହୁ, ସରପଞ୍ଚ ଦୀପକ ପ୍ରଧାନ, ଘୁ.ଉଦୟଗିରି ବିଧାୟକଙ୍କ ପ୍ରତିନିଧି ପ୍ରମୋଦ କୁମାର ଦିଗାଲ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଦାରିଙ୍ଗବାଡ଼ି ପ୍ରତିନିଧି ଜୟଚନ୍ଦ୍ର ପଡ୍ରା, ୧୧ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ଦୀପିକା ମୁଠାମାଝି ଏବଂ ସହକାରୀ ମତ୍ସ୍ୟ ଅଧିକାରୀ ମନୋରଞ୍ଜନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ପ୍ରଶାନ୍ତ ସାହୁ ପରିଚାଳନା କରିଥିଲେ । ଲୋକକଳା ମାଧ୍ୟମରେ ସରକାରୀ ଯୋଜନାର ସୂଚନା ଚାଷୀଙ୍କ ନିକଟରେ ପହଞ୍ଚାଇବାର ଏହି ଅଭିନବ ପ୍ରୟାସକୁ ଗ୍ରାମାଞ୍ଚଳରେ ମତ୍ସ୍ୟଚାଷ ଓ ପଶୁପାଳନର ବିକାଶ ସହ ଚାଷୀଙ୍କ ଆର୍ଥିକ ସ୍ୱାବଲମ୍ବନ ଦିଗରେ ଏକ ସଚେତନତାମୂଳକ ପଦକ୍ଷେପ ଭାବେ ଗ୍ରହଣ କରାଯାଇଛି ।