କିରାମହାରେ ଆଡ଼ମ୍ବର ସହକାରେ ମା’ ମେରୀଙ୍କ ପର୍ବ ପାଳିତ, କ୍ୟାଣ୍ଡେଲ ଶୋଭାଯାତ୍ରାରେ ସାମିଲ ହେଲେ ଶତାଧିକ ବିଶ୍ୱାସୀ….
ଦାରିଙ୍ଗବାଡ଼ି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଧର୍ମାଞ୍ଚଳ ଅନ୍ତର୍ଗତ କିରାମହା ମଣ୍ଡଳୀ ପକ୍ଷରୁ ଆଶ୍ଚର୍ଯ୍ୟ ପଦକ ମା’ ମେରୀଙ୍କ ପର୍ବ ମହାଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ କ୍ୟାଣ୍ଡେଲ ଶୋଭାଯାତ୍ରା ସହ ସାମୂହିକ ଦିବ୍ୟଯଜ୍ଞ ଓ ସ୍ୱତନ୍ତ୍ର ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା ।
ଏଥିରେ କଟକ-ଭୁବନେଶ୍ୱର ମହାଧର୍ମପ୍ରଦେଶର ଭିକାର ଜେନେରାଲ ଫା.ପ୍ରଦୋଷ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦିବ୍ୟଯଜ୍ଞରେ ପୌରୋହିତ୍ୟ କରିଥିଲେ । ମୁଖ୍ୟବକ୍ତା ଭାବେ ଫା. ମାର୍ଟିନ ଚିନ୍ତାମଣି ପରିଛା ଯୋଗଦେଇ ପର୍ବ ପାଳନର ମହତ୍ତ୍ୱ ଓ ବାଇବଲରୁ ଈଶ୍ୱରଙ୍କ ବାଣୀ ପ୍ରଚାର କରିଥିଲେ । ସମ୍ମାନିତ ଅତିଥି ଭାବେ ଡିନ୍ ଫା.ମୁକୁନ୍ଦ ବଳିଆରସିଂଙ୍କ ସମେତ ବିଭିନ୍ନ ଧର୍ମାଞ୍ଚଳର ଯାଜକମାନେ ଯୋଗଦେଇ ସାମୂହିକ ପ୍ରାର୍ଥନା ଉତ୍ସର୍ଗ କରିଥିଲେ । ସହକାରୀ ଯାଜକ ଫା.ଇସ୍ମାଇଲ ସଭାସୁନ୍ଦରଙ୍କ ତତ୍ତ୍ୱାବଧାନରେ ଏବଂ ଗ୍ରାମ ସଭାପତି କାନ୍ତ ବସ୍ତିରାୟଙ୍କ ନେତୃତ୍ୱରେ ଆୟୋଜିତ ଏହି ସମାରୋହରେ ଆଖପାଖ ଅଞ୍ଚଳରୁ ଶତାଧିକ ବିଶ୍ୱାସୀ ଯୋଗଦେଇଥିଲେ । ପ୍ରସନ କୁମାର ନାୟକଙ୍କ ନେତୃତ୍ୱରେ ସଂଗୀତ ଦଳ ଭକ୍ତି ସଂଗୀତ ପରିବେଷଣ କରିଥିବା ବେଳେ ନିକାସ ଓ ପୃଥ୍ୱୀ ମ୍ୟୁଜିକ୍ ପରିଚାଳନା କରିଥିଲେ । ଗ୍ରାମର ଯୁବସଂଘ ଓ ହୋଲିକ୍ରସ୍ ସଂଘର ସଦସ୍ୟମାନେ ବେଦୀ ସଜ୍ଜା ଓ ସାଜସଜ୍ଜା ଦାୟିତ୍ୱ ତୁଲାଇଥିଲେ । ଗ୍ରାମ୍ୟ ପରିଚାଳନା କମିଟି ଓ ଯୁବସଂଘର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।