ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର-କୁଲାଡ଼ ରାସ୍ତାର ସାହାଣପଲ୍ଲୀ ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ବାଇକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି । ମୃତକ ଜଣକ ହେଲେ ରାଇପଲ୍ଲୀ ଗ୍ରାମର ଟୁନା ଗୌଡଙ୍କ ପୁଅ ସାଗର ଗୌଡ(୨୮) । ଅନ୍ୟ ଆହତ ଜଣକ ହେଲେ ସେହି ଗ୍ରାମର ସନ୍ତୋଷ ଦାସ । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଉଭୟେ ଅପରାହ୍ନ ସମୟରେ ବାଇକରେ ଭଞ୍ଜନଗର ପଟୁ ଗ୍ରାମ ଆଡକୁ ଯାଉଥିବା ସମୟରେ ରାସ୍ତାକଡ କଲଭର୍ଟ ପିଲାର ସହ ଧକ୍କା ହୋଇଥିବା କିଛି ବ୍ୟକ୍ତି ପ୍ରକାଶ କରିଛନ୍ତି । ଏହାପରେ ସ୍ଥାନୀୟ ଲୋକ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସାଗରକୁ ମୃତ ଘୋଷଣା କରିଥିବା ବେଳେ ସନ୍ତୋଷର ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଘରର ଯୁବା ପୁଅର ମୃତ୍ୟୁକୁ ନେଇ ପରିବାର ଓ ସାଙ୍ଗସାଥୀ ସହଜରେ ଗ୍ରହଣ କରି ପାରିନାହାନ୍ତି । କାନ୍ଦ ବୋବାଳିରେ ଡାକ୍ତରଖାନା ପରିସରରେ ଦୁଖଦ ପରିବେଶ ସୃଷ୍ଟି ହୋଇଥିଲା । ପୁଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି ।