ଭଞ୍ଜନଗର-ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ନିକଟରୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର-ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ନିକଟରୁ ମଙ୍ଗଳବାର ପୂର୍ବାହ୍ନରେ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହଟି ସମ୍ପୂର୍ଣ୍ଣ ପଚି ଯାଇଥିବାରୁ ମୃତକଙ୍କ ପରିଚୟ ମିଳିପାରି ନାହିଁ । ସୂଚନାନୁଯାୟୀ, ସକାଳେ ଉକ୍ତ ରାସ୍ତା ଦେଇ ଯାଉଥିବା କିଛି ପଥଚାରୀ ମୃତଦେହକୁ ଦେଖିବାକୁ ପାଇଥିଲେ । ସେମାନେ ତୁରନ୍ତ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତଦେହ ପାଖରୁ କିଛି ଦୂରରେ ପୁଲିସ ଦୁଇଟି ବ୍ୟାଗ ଜବତ କରିଛି । ଉକ୍ତ ବ୍ୟାଗରୁ କିଛି ପୋଷାକ, ପାଣି ବୋତଲ ଏବଂ କିଛି ଆବଶ୍ୟକୀୟ ସାମଗ୍ରୀ ମିଳିଛି । ତେବେ ବ୍ୟକ୍ତିଙ୍କ ମୃତ୍ୟୁ କିପରି ହେଲା, ସେ ନେଇ ଏବେ ମଧ୍ୟ ସନ୍ଦେହ ଲାଗିରହିଛି । ମୃତ୍ୟୁର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳି ନ ଥିବା ବେଳେ ଏହା ଅତ୍ୟଧିକ ମଦ୍ୟପାନ ଯୋଗୁ ହୋଇଛି କିମ୍ବା ବର୍ତ୍ତମାନର ଗ୍ରୀଷ୍ମ ପ୍ରବାହ ଯୋଗୁ ଅଂଶୁଘାତରେ ହୋଇଛି ସେ ନେଇ ପୁଲିସ ସନ୍ଦେହ କରୁଛି । ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ । ପରିଚୟ ଜାଣିବା ପାଇଁ ପୁଲିସ ଆଖପାଖ ଅଞ୍ଚଳର ଥାନାଗୁଡ଼ିକ ସହ ଯୋଗାଯୋଗ କରୁଥିବା ଜଣାପଡ଼ିଛି ।