ଭଞ୍ଜନଗର(ନିଲୁ ବିଷୋୟୀ): ଘରେ କାମ କରୁଥିବା ମହିଳା ସୁନା ଅଳଙ୍କାର ଚୋରୀ କରିବା ଅଭିଯୋଗରେ ପୁଲିସ ଉକ୍ତ ମହିଳାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ଚୋରୀ ହୋଇଥିବା ଅଳଙ୍କାର ଜବତ ହୋଇଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି । ଭଞ୍ଜନଗର ଥାନା ଅଧିନ ଲଣ୍ଡେଇ ସାହିର ପ୍ରଭାସିନି ତ୍ରିପାଠୀଙ୍କ ଘରେ ଜଣେ ମହିଳା କାମ କରୁଥିବା ବେଳେ ସେ କିଛି ମାସ ତଳେ କାମ ଛାଡି ଦେଇଥିଲେ । ଏହାପରେ ତାଙ୍କର କିଛି ସୁନା ଅଳଙ୍କାର ଚୋରି ହୋଇଯାଇଥିବା ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ । ଗତ ଫେବୃୟାରୀ ମାସ ୨ ତାରିଖ ଦିନ ଥାନାରେ ପ୍ରଭାସିନି ଲିଖିତ ଅଭିଯୋଗ କରିଥିଲେ । ତେବେ ପ୍ରଭାସିନୀଙ୍କ ଘର କଥା ବୁଝୁଥିବା ଲିଲି ପ୍ରଧାନଙ୍କ ଉପରେ ସନ୍ଦେହ ପ୍ରକଟ ହୋଇଥିଲା । ଏହି ଅଭିଯୋଗ ପାଇବା ପରେ କେସ ନମ୍ବର ୧୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ପୁଲିସ ଲିଲିକୁ ଧରିବା ସହ ଥାନାକୁ ଆଣି ପଚରା ଉଚରା ପରେ ସବୁକଥା ମାନିବା ସହ ପାଖରୁ ଚୋରି ହୋଇଥିବା ଗୋଟିଏ ସୁନା ଚେନ, ୪ ହଳ କାନଫୁଲ ଓ ଗୋଟିଏ ମୁଦିକୁ ପୁଲିସ ଜବତ କରିବା ସହ ପ୍ରଭାସିନିଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି ।