ଦାରିଙ୍ଗବାଡି(ଆଶୋକ ସିଂ): ସମଗ୍ର ବିଶ୍ବରେ ମହିଳା ଦିବସ ପାଳନ ଅବସରରେ ମହିଳାଙ୍କ ସମ୍ମାନ ଓ ଅଧିକାର ବିଷୟରେ ଚର୍ଚ୍ଚା ହେଉଥିବା ବେଳେ ରାସ୍ତା ପାଇଁ କଲବଲ ହେଉଥିବା ମହିଳାମାନେ ଭଲ ରାସ୍ତା ଟିଏ ପାଇଁ ସ୍ୱର୍ ଉତ୍ତୋଳନ କରିଛନ୍ତି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଅତି ଦୁର୍ଗମ କମ୍ଭାରୀଗାଁ ପଞ୍ଚାୟତରେ । ଏହି ପଞ୍ଚାୟତର ପାଡିକିଆ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଥିବାରୁ ଗମନା ଗମନ ସମ୍ପୁର୍ଣ ବାଧା ସୃଷ୍ଟି ହୋଇଛି । ଏହି ଗ୍ରାମରେ ଶବର ସଂପ୍ରଦାୟର ପ୍ରାୟ ୪୫ପରିବାର ବସବାସ କରୁଥିବା ପାଖା ପାଖି ଗ୍ରାମ ଝାରବାଇଡ଼ା , ରାଜନଗଡ, ଜିରିକୁଆ, ଜିରିହୋ ନଗର, ଦେରେଙ୍ଗ ଆଦି ଗ୍ରାମରେ ପ୍ରାୟ ୨୦୦ଶହ ପରିବାରରେ ଏକ ହଜାରରୁ ଉର୍ଦ୍ଧ୍ଵ ଲୋକେ ବସବାସ କରନ୍ତି । ଜଙ୍ଗଲ ସହ ସଂଘର୍ଷ କରି ଜୀବନ ଜୀବିକା ନିର୍ବାହ କରୁଥିବା ବେଳେ ରାସ୍ତାର ଅଭାବ ହେତୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମକୁ ବସ ଚଳା ଚଳ ସ୍ବପ୍ନ ପାଲଟି ଥିବା ବେଳେ ଅଟୋ ଓ ବାଇକ୍ ଉପରେ ନିର୍ଭର କରୁଛନ୍ତି ଗ୍ରାମବାସୀ l ତେବେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଥିବାରୁ ଅଟୋ ମଧ୍ୟ ସେହି ଗ୍ରାମକୁ ଯାଉନାହିଁ l ଜରୁରୀ କାଳୀନ ପରିସ୍ଥିତିରେ ୩ରୁ ୬କିମି ପର୍ଯ୍ୟନ୍ତ ଚାଲି ଚାଲି ଯିବାକୁ ପଡୁଛି ନତୁବା ଦୋଳାରେ ବୁହା ହୋଇ ଯାଉଛନ୍ତି ବୋଲି ଗ୍ରାମବାସୀ ମା ମାନେ କହିଛନ୍ତି । ବିଶେଷ କରି ଗର୍ଭବତୀ ପ୍ରସୂତୀ ଅବା କୌଣସି ରୋଗରେ ଆକ୍ରାନ୍ତ ହେଲେ ଆମ୍ବୁଲାନ୍ସ ସୁବିଧା ମଧ୍ୟ ମିଳୁ ନଥିବା ଅଭିଯୋଗ ହେଉଛି । ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚ ବାରମ୍ଵାର ବ୍ଲକ ତଥା ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇ ଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ ପ୍ରାୟ ୫ବର୍ଷ ଆଗରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ଗୋବର କୁଟିଛକ ଠାରୁ କୁମ୍ଭାରିଗାଁ ଦେଇ ପାଡ଼ିକିଆକୁ ପ୍ରାୟ ୬କିମି ରାସ୍ତା ସଂଯୋଗ ହୋଇଛି । ରାସ୍ତା ନିର୍ମାଣକାରୀ ସଂସ୍ଥା ଅତି ନିମ୍ନ ମାନର କାର୍ଯ୍ୟ କରିଥିବା ବେଳେ ବିଭାଗୀୟ ଅଧିକାରୀମାନଙ୍କ ତଦାରଖର ଅଭାବ ହେତୁ ତାହାର କୌଣସି ରକ୍ଷଣା ବେକ୍ଷଣ ହୋଇ ପାରୁ ନାହିଁ l ଯାହାରି ଫଳରେ ବର୍ଷା ପାଣିରେ ରାସ୍ତା ଧୋଇ ହୋଇ ଯାଇଥିବା ବେଳେ ଶତାଧିକ ଖାଲ ଖମା ସୃଷ୍ଟି ହୋଇ ଯାତାୟତରେ ବାଧା ସୃଷ୍ଟି କରୁଛି । ପାଡ଼ିକିଆ ଠାରୁ ପ୍ରାୟ ୧ କିମି ଦୂର ରେ ଥିବା ଘାଟି ରାସ୍ତା ଧୋଇ ହୋଇ ଯାଇଥିବାରୁ ସେହି ରାସ୍ତାରେ ତିନି ଚକିଆ ଅଟୋ ହେଉ ଅବା ଚାରି ଚକିଆ ଓ ଭାରିଯାନ ଚଳାଚଳ ବନ୍ଦ ରହିଥିବା ବେଳେ ବାଇକ ଗୁଡ଼ିକ ଅତି କଷ୍ଟରେ ଗମନା ଗମନ କରୁଛି । ଅନେକ ସମୟରେ ବାଇକ ଆରୋହୀମାନେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେଉଥିବା ବେଳେ ଗର୍ଭବତୀ ମହିଳା ଓ ରୋଗୀମାନେ ସ୍ୱାସ୍ଥ୍ୟ ସେବା ନ ପାଇ ଅକାଳ ମୃତ୍ୟୁର ଶିକାର ହେଉଥିବା ଅଭିଯୋଗ ହେଉଛି । ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ସରକାର ମାଳ ମାଳ ଯୋଜନା କରୁଥିବା ବେଳେ ଏହି ଦୃଶ୍ୟକୁ ଦେଖିଲେ କେଉଁଠି ନା କେଉଁଠି ଏହା ବାଟବଣା ହେଉ ଥିବା ସହଜେ ଅନୁମେୟ କରାଯାଇଛି । ଏଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥି ପ୍ରତି ଗୁରୁତ୍ଵ ଦେଇ ଦୁର୍ଗମ ଅଞ୍ଚଳରେ ଗମନା ଗମନର ସୁବିଧା ଯୋଗାଇ ଦେବା ଓ ବର୍ଷା ଦିନ ଆସିବା ପୁର୍ବରୁ ରାସ୍ତାର ମରାମତି କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି । ନଚେତ ଆଗମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।