ଆରଟିଆଇ ତଥ୍ୟ ନଦେବା ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା: କନ୍ଧମାଳ ଉପଭୋକ୍ତା କୋର୍ଟର କଡ଼ା ରାୟ, ୫ ଅଧିକାରୀଙ୍କୁ ୭୭ ହଜାର ଟଙ୍କା ଜରିମାନା…..
ଦାରିଙ୍ଗବାଡି(ଆଶୋକ ସିଂ): ସୂଚନା ଅଧିକାର ଆଇନ (RTI) ଅନୁଯାୟୀ ଆବେଦନ ଶୁଳ୍କ ଗ୍ରହଣ କରିବା ସତ୍ତ୍ୱେ ଆବେଦନକାରୀଙ୍କୁ ସମୟମଧ୍ୟରେ ତଥ୍ୟ ପ୍ରଦାନ ନକରିବା ସରକାରୀ ଅଧିକାରୀମାନଙ୍କୁ ମହଙ୍ଗା ପଡ଼ିଛି । କନ୍ଧମାଳ ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ କମିଶନ ତିନୋଟି ମାମଲାର ଶୁଣାଣି କରି ପାଞ୍ଚ ଜଣ ଅଧିକାରୀଙ୍କ ଉପରେ ମୋଟ ୭୭ ହଜାର ଟଙ୍କା ଜରିମାନା ଓ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାନୁଯାୟୀ, ଦାରିଙ୍ଗବାଡ଼ି କୁମ୍ଭାର ବଜାର ଅଞ୍ଚଳର ପ୍ରିୟବ୍ରତ ସାହୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟରୁ କିଛି ସୂଚନା ପାଇବା ପାଇଁ ଆରଟିଆଇ ଆବେଦନ କରିଥିଲେ । ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ ବିଡିଓ କାର୍ଯ୍ୟାଳୟରେ ସେ ୫୨ ଟଙ୍କା ଶୁଳ୍କ ଜମା କରି ଆବେଦନ ଦାଖଲ କରିଥିଲେ । ପରେ ଆବେଦନଟି ସମ୍ପର୍କିତ ଅଧିକାରୀଙ୍କ ପାଖକୁ ପଠାଯାଇଥିଲେ ମଧ୍ୟ ଦୀର୍ଘ ସମୟ ଧରି ତାଙ୍କୁ କୌଣସି ସୂଚନା ପ୍ରଦାନ କରାଯାଇନଥିଲା । ଏଥିରେ ଅସନ୍ତୁଷ୍ଟ ହୋଇ ପ୍ରିୟବ୍ରତ ସାହୁ କନ୍ଧମାଳ ଜିଲ୍ଲା ଉପଭୋକ୍ତା ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ମାମଲାର ଶୁଣାଣି କରି କମିଶନର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମିଶ୍ର ଓ ସଦସ୍ୟ ସୁଧାକର ସେନାପତି କହିଥିଲେ ଯେ, ଶୁଳ୍କ ଗ୍ରହଣ କରିବା ପରେ ମଧ୍ୟ ସୂଚନା ପ୍ରଦାନ ନକରିବା ଗୁରୁତର ଅବହେଳା ଓ ଏହା ଆବେଦନକାରୀଙ୍କୁ ଅନାବଶ୍ୟକ ଭାବେ ହଇରାଣ କରିବା ସହ ସମାନ । ଏହି ମାମଲାରେ ବଣାଇଗଡ଼ ବ୍ଲକର ଝିରଡାପାଲି, ଭାଲୁପାଣି ଓ ପିଠାଚୋର ପଞ୍ଚାୟତର ଜନସୂଚନା ଅଧିକାରୀମାନଙ୍କୁ ଦୋଷୀ ସାବ୍ୟସ୍ତ କରି କୋର୍ଟ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା କ୍ଷତିପୂରଣ ଓ ୫ ହଜାର ଟଙ୍କା ମାମଲା ଖର୍ଚ୍ଚ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହିପରି ମୋଟ ୪୫ ହଜାର ଟଙ୍କା ଅଦାୟ କରିବାକୁ କହାଯାଇଛି । ସେହିପରି ଫୁଲବାଣୀ ମାଇନିଂ କାର୍ଯ୍ୟାଳୟର ତଥ୍ୟ ପ୍ରଦାନରେ ଅବହେଳା କରିଥିବା ଅଭିଯୋଗରେ ମାଇନିଂ ଅଫିସରଙ୍କୁ ୭ ହଜାର ଟଙ୍କା ଜରିମାନା କରାଯାଇଛି । କୋର୍ଟ ତାଙ୍କୁ ୫ ହଜାର ଟଙ୍କା କ୍ଷତିପୂରଣ ଓ ୨ ହଜାର ଟଙ୍କା ମାମଲା ଖର୍ଚ୍ଚ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିରୋଧୀ ପକ୍ଷ ଅଧିକ ଶୁଳ୍କ ଦେବା ପାଇଁ ଚିଠି ମାଧ୍ୟମରେ ସୂଚନା ଦେଇଥିବା ଦାବି କରିଥିଲେ ମଧ୍ୟ ସେଥିପାଇଁ କୌଣସି ପୋଷ୍ଟାଲ ପ୍ରମାଣ ଦେଖାଇ ପାରିନଥିବାରୁ କୋର୍ଟ ଏହାକୁ ଗ୍ରହଣ କରିନଥିଲେ । ଏହାସହ ଆଉ ଏକ ମାମଲାରେ ଆରଟିଆଇ ଅଧୀନରେ ସୂଚନା ପ୍ରଦାନରେ ବିଳମ୍ବ ଓ ସେବାରେ ଅବହେଳା ପାଇଁ ଢେଙ୍କାନାଳ ଜିଲ୍ଲାର ଓଡ଼ପଡ଼ା ତହସିଲଦାର କାର୍ଯ୍ୟାଳୟର ଜନସୂଚନା ଅଧିକାରୀଙ୍କୁ କନ୍ଧମାଳ ଉପଭୋକ୍ତା କୋର୍ଟ ୨୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ, ପ୍ରିୟବ୍ରତ ସାହୁ ୩୦ ଜୁଲାଇ ୨୦୨୪ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମାଧ୍ୟମରେ କିଛି ସୂଚନା ମାଗିଥିଲେ । ପରେ ଆବେଦନଟି ଓଡ଼ପଡ଼ା ତହସିଲଦାରଙ୍କୁ ପଠାଯାଇଥିଲା। ତଥ୍ୟ ପ୍ରଦାନ ପାଇଁ ୭୬୦ ଟଙ୍କା ଶୁଳ୍କ ଦେବାକୁ କୁହାଯାଇଥିଲା ଓ ସେ ଏହି ଅର୍ଥ ଜମା କରିଥିଲେ । କିନ୍ତୁ ଦୁଇ ମାସରୁ ଅଧିକ ସମୟ ହେଲେ ମଧ୍ୟ ତାଙ୍କୁ ସୂଚନା ଦିଆଯାଇନଥିଲା । ମାମଲାର ଶୁଣାଣି କରି କୋର୍ଟ ଦେଖିଥିଲେ ଯେ, ଅର୍ଥ ପଇଠ ପରେ ମଧ୍ୟ “ଡିଲିଂ ଆସିଷ୍ଟାଣ୍ଟ ବ୍ୟସ୍ତ ଥିବା” ଦର୍ଶାଇ ସୂଚନା ପ୍ରଦାନରେ ବିଳମ୍ବ କରାଯାଇଥିଲା । ଏହାକୁ କୋର୍ଟ ସେବାରେ ଚରମ ଅବହେଳା ବୋଲି ମନେ କରିଛନ୍ତି । କୋର୍ଟର ରାୟ ଅନୁଯାୟୀ, ତହସିଲଦାର ଆବେଦନକାରୀଙ୍କୁ ୨୦ ହଜାର ଟଙ୍କା କ୍ଷତିପୂରଣ ଓ ୫ ହଜାର ଟଙ୍କା ମାମଲା ଖର୍ଚ୍ଚ ସହ ମୋଟ ୨୫ ହଜାର ଟଙ୍କା ୩୦ ଦିନ ମଧ୍ୟରେ ପ୍ରଦାନ କରିବାକୁ ପଡ଼ିବ । ନିର୍ଦ୍ଧାରିତ ସମୟରେ ଏହି ସବୁ ଅର୍ଥ ନଦିଆଗଲେ ୧୨ ପ୍ରତିଶତ ସୁଧ ସହ ଦେବାକୁ ହେବ ବୋଲି ମଧ୍ୟ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି । ତେବେ ଏହି ରାୟ କିନ୍ତୁ ସରକାରୀ କାର୍ଯ୍ୟାଳୟମାନଙ୍କ ମଧ୍ୟରେ ଆରଟିଆଇ ଅଧୀନରେ ସୂଚନା ପ୍ରଦାନରେ ଅବହେଳା ବିରୋଧରେ ଏକ ଦୃଢ଼ ସନ୍ଦେଶ ବୋଲି ସାଧାରଣ ଲୋକଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି ।