ପର୍ଯ୍ୟଟନ ବିଭାଗ ସଚିବଙ୍କ ଦାରିଙ୍ଗବାଡ଼ି ଗସ୍ତ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ସ୍ଥଳି ଓ ହୋମ ଷ୍ଟେ ବିକାଶ ନେଇ ସଚେତନ ବୈଠକ….
ଦାରିଙ୍ଗବାଡ଼ି(ଆଶୋକ ସିଂ): ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ସଚିବ ବଳବନ୍ତ ସିଂ ଦାରିଙ୍ଗବାଡ଼ି ଗସ୍ତରେ ଆସି ଦାରିଙ୍ଗବାଡ଼ି ପର୍ଯ୍ୟଟନ ସ୍ଥଳି ଓ ହୋମ ଷ୍ଟେର ବିକାଶ ନେଇ ବ୍ଳକ ସଭା ଗୃହରେ ସଚେତନ ବୈଠକ ଅନୁଷ୍ଠିତ ହୋଇଛି । ପ୍ରଥମେ ପର୍ଯ୍ୟଟନ ସଚିବ କତେକ ପର୍ଯ୍ୟଟନ ସ୍ଥଳି ବୁଲି ଦେଖିବା ପରେ ସମିତି ସଭା ଗୃହରେ ପର୍ଯ୍ୟଟକଙ୍କୁ ସେବା ଯୋଗାଉଥିବା ହୋଟେଲ ଓ ହୋମଷ୍ଟେ ମାଲିକ ସହିତ ଆଗକୁ ଦାରିଙ୍ଗବାଡ଼ିରେ ହୋଟେଲ ଓ ହୋମ ଷ୍ଟେ କରିବାର ଇଛା ଥିବା ବ୍ୟକ୍ତିମାନଙ୍କୁ ନେଇ ସଚେତନ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗରେ ରହିଥିବା ନୀତିନିୟମ ଓ ଯୋଜନା ସମ୍ପର୍କରେ ଆଲୋଚନା କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କିଭଳି ହୋଟେଲ ଓ ହୋମ ଷ୍ଟେ ସଂଖ୍ୟା ବୃଦ୍ଧି କରାଯିବା ସହିତ ସରକାରଙ୍କ ଆର୍ଥିକ ସହାୟତା ନେଇ ସୂଚନା ଦେଇଥିଲେ । ଓଡ଼ିଶାରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚିହ୍ନଟ ହୋଇଥିବା ୧୫ଟି ପର୍ଯ୍ୟଟନ ସ୍ଥଳି ମଧ୍ୟରେ ଦାରିଙ୍ଗବାଡ଼ି ରହିଥିବାରୁ ପର୍ଯ୍ୟଟନ ବିଭାଗ ଏହାର ବିକାଶ ପାଇଁ ରାସ୍ତାଘାଟର ସୁବିଧା, ଭଲ ଓ ସୁରକ୍ଷିତ ହୋଟେଲ ଓ ହୋମ ଷ୍ଟେ, ସୁସ୍ଥ ଓ ସୌନ୍ଦର୍ଯ୍ୟ ପରିବେଶ, ଉନ୍ନତ ମାନ ତଥା ବିନାସାରରେ ଉତ୍ପାଦିତ ଖାଦ୍ୟଶସ୍ୟ ଓ ପନିପରିବାରେ ପ୍ରସ୍ତୁତି ଖାଦ୍ୟ, ଆଧ୍ୟାତ୍ମିକ ପରିବେଶ ଓ ପୁରାତନ ସଂକୃତି ସୃଷ୍ଟି କରି ଦାରିଙ୍ଗବାଡ଼ିକୁ ଏକ ସ୍ୱତନ୍ତ୍ର ପର୍ଯ୍ୟଟନ ସ୍ଥଳି ଭାବେ ବିକାଶ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପରାମର୍ଶ କରିଥିଲେ । ଏହି ସଚେତନ ବୈଠକରେ ସଚିବଙ୍କ ସହିତ ବାଲିଗୁଡ଼ା ଉପ ଜିଲ୍ଲାପାଳ ପ୍ରଣୀତା ଦାସ, ଜିଲ୍ଲା ସିଡିଓ ଶାମ୍ବୁନାଥ ନନ୍ଦୀ, ବାଲିଗୁଡ଼ା ଆଇଟିଡିଏ ପିଏ କୃପାସିନ୍ଧୁ ବେହେରା, ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ କୁମାର ପାତ୍ର ଉପସ୍ଥିତ ରହିଥିଲେ । ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ ସ୍ଲାଡ ସ୍ଵ ମଧ୍ୟରେ ଦାରିଙ୍ଗବାଡ଼ିରେ ରହିଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳି ଓ ରହିଥିବା ହୋଟେଲ ଓ ହୋମ ଷ୍ଟେ ସଂଖ୍ୟାର ସୂଚନା ସଚିବଙ୍କୁ ପ୍ରଦାନ କରିଥିଲେ । ଏହାପରେ ସଚିବ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ଅନ୍ୟ ପର୍ଯ୍ୟଟନ ସ୍ଥଳି ପରିଦର୍ଶନ କରି ଫେରିଥିଲେ ।