ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲା ଭଞ୍ଜନଗର କୋର୍ଟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ବୁଦୁଲି ଗ୍ରାମର ଅଶୋକ ସ୍ବାଇଁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ମାମଲାରେ ପୁଲିସ ଗତକାଲି ଗିରଫ କରିଥିବା ଅଭିଯୁକ୍ତ ଦିଲ୍ଲୀପ କୁମାର ଜେନାଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଭଞ୍ଜନଗର ଜେଲ ହାଜତକୁ ପଠାଇ ଦିଆଯାଇଛି । ଘଟଣାରୁ ପ୍ରକାଶ ଯେ, ଅଶୋକ କିଛି ବର୍ଷ ପୂର୍ବେ ଦିଲ୍ଲୀପଙ୍କ ସ୍ତ୍ରୀଙ୍କ ଠାରୁ କିଛି ଅଳଙ୍କାର ଓ ଟଙ୍କା ଧାର ନେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଉକ୍ତ ଟଙ୍କା ଓ ଅଳଙ୍କାର ଅଶୋକ ଫେରାଇ ନ ଥିଲେ । ଯାହାକୁ ନେଇ ଦିଲ୍ଲୀପ ଓ ଅଶୋକ ମଧ୍ୟରେ ବିବାଦ ଦେଖା ଦେବା ସହ ୨୦୨୪ ଅଗଷ୍ଟ ମାସରେ ଗଣ୍ଡଗୋଳ ହୋଇଥିଲା । ସେ ସମୟରେ ଦିଲ୍ଲୀପଙ୍କ ସ୍ତ୍ରୀ ଥାନାରେ ଅଶୋକଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଫଳରେ ସେ ସମୟରେ ଅଶୋକଙ୍କୁ ପୁଲିସ ଗିରଫ କରିଥିଲା । ଏହାର ୬ ମାସ ପରେ ଅଶୋକ ଜାମିନରେ ଆସିଥିଲେ । ଗତକାଲି ଉକ୍ତ ମାମଲାର ହାଜିରା ପକାଇବାକୁ ଅଶୋକ କୋର୍ଟକୁ ଆସିଥିଲେ । ହାଜିରା ପକାଇ ଫେରିବା ସମୟରେ ପୂର୍ବରୁ କୋର୍ଟ ସମ୍ମୁଖରେ ହିଁ ଛପି ରହିଥିବା ଦିଲ୍ଲୀପ ଅଶୋକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ଏହା ପରେ ଚିକିତ୍ସାଧୀନ ଅବସ୍ଥାରେ ଅଶୋକଙ୍କ ମୃତ୍ୟୁ ଘଟିଥିଲା । ଏଥିସହ ଲୋକେ ଅଭିଯୁକ୍ତ ଦିଲ୍ଲୀପଙ୍କୁ କାବୁ କରି ପୁଲିସରେ ଜିମା ଦେଇଥିଲେ ।