ସମସ୍ୟା ଘେରରେ ସ୍ଲୁକି ଓ କାଣ୍ଡାପା ଗ୍ରାମ: ଉଗ୍ରରୂପ ଧାରଣ କରିଛି ପାନିୟଜଳ ସମସ୍ୟା, ପାଣି ପାଇଁ ଡହଳ ବିକଳ ସ୍ଲୁକି ଓ କାଣ୍ଡାପା ଅଞ୍ଚଳବାସୀ….
ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଆଗକୁ ଆସୁଛି ଗ୍ରୀଷ୍ମ ପ୍ରବାହ । ହେଲେ ତାହା ପୂର୍ବରୁ ଦେଖା ଦେଇଛି ଉତ୍କଟ ପାଣି ସମସ୍ୟା । ବୁନ୍ଦାଏ ପାଣି ପାଇଁ ସାହିମାନଙ୍କରେ ଦେଖା ଦେଇଛି ଅଶାନ୍ତି l ସକାଳ ହେଲେ ପାଟିତୁଣ୍ଡ ହେଉଛନ୍ତି ମହିଳା । ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ସ୍ଲିକି ଓ କାଣ୍ଡାପା ଗ୍ରାମରେ ଏଭଳି କିଛି ଦୃଶ୍ୟ ଦେଖୁବାକୁ ମିଳିଛି । ଦାସିଙ୍ଗବାଡ଼ି ଗ୍ରାମ ପଞ୍ଚାୟତ ଠାରୁ ମାତ୍ର ଦେଢ଼ କିଲମିଟର ଦୂରରେ ଉକ୍ତ ଗାଁ ଗୁଡ଼ିକ ଅବସ୍ଥିତ । ହେଲେ ଏହି ଗାଁମାନଙ୍କୁ ଦେଖିଲେ ମନେ ହେଉଛି ଦୀପ ତଳ ଅନ୍ଧାର ଭଳି । ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ଥାଇ ମଧ୍ୟ କାଣ୍ଡାପା ଓ ସ୍ଲୁକି ଗ୍ରାମରେ ଏହି ଭଳି ପାନୀୟ ଜଳର ଘୋର ଅଭାବ ରହିଛି । ସ୍ଲୁକି ଗାଁରେ ପ୍ରାୟ ୪୦ ପରିବାରରୁ ଉର୍ଦ୍ଧ ଲୋକ ବସବାସ କରନ୍ତି । କିନ୍ତୁ ୪୦ ପରିବାର ଲୋକ ମାନଙ୍କ ପାଇଁ ରହିଛି ମାତ୍ର ଗୋଟିଏ ନଳକୂପ । ସକାଳ ହେଲେ ନଳକୂପ ଆଗରେ ଲମ୍ବା ଧାଡ଼ି । ପାଣି ପାଇଁ ସଦା ବେଳେ ଭିଡ଼ ରହୁଛି । ଯାହାରୀ ଫଳରେ ଠିକ ସମୟରେ ଲୋକେ କାମ ଧନ୍ଦାକୁ ବାହାରି ପାରନ୍ତି ନାହିଁ । ଏହା ସହ ଦାସିଙ୍ଗବାଡ଼ି ମୁଖ୍ୟ ରାସ୍ତା ଠାରୁ ମାତ୍ର ଦେଢ଼ କିଲମିଟର ଦୂରରେ ସ୍ଲୁକି ଗ୍ରାମ । କିନ୍ତୁ ଏହା ଏକ ଦୁର୍ଭାଗ୍ୟ ଯେ ପଞ୍ଚାୟତ ପାଖରେ ଥାଇ ମଧ୍ୟ ରାସ୍ତା ଅତି ନିମ୍ନମାନ ରେ ରହିଛି । ଦାସିଙ୍ଗବାଡ଼ି ଗ୍ରାମରେ ସରକାରୀ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ରହିଥିବା ହେତୁ ଏହି ରାସ୍ତା ଦେଇ ଅନେକ ଛାତ୍ରଛାତ୍ରୀ ଏବଂ ଅଙ୍ଗନବାଡ଼ିର କୁନି କୁନି ପିଲା ସ୍କୁଲକୁ ଯିବା ଆସିବା କରିଥାନ୍ତି । ଏହି ରାସ୍ତାରେ ବର୍ଷା ସମୟରେ ଲୋକେ ଚାଲିକି ଯିବା ପାଇଁ ମଧ୍ୟ ବହୁ ସମସ୍ୟାର ସମ୍ମୁଖିନ ହେଉ ଥିବା କହିଛନ୍ତି । ବାଧ୍ୟ ହୋଇ ବିପଦ ସଂକୁଳ ଅବସ୍ଥାରେ ସ୍କୁଲ ଯିବା ଆସିବା କରିଥାନ୍ତି ଅନେକ ଛାତ୍ର ଛାତ୍ରୀ । ସେହିପରି “କାଣ୍ଡାପା” ଗାଁରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି l ଏହି ଗାଁରେ ମଧ୍ୟ ୧୦୦ ପରିବାର ବସବାସ କରନ୍ତି । କିନ୍ତୁ ୧୦୦ ପରିବାର ଲୋକଙ୍କ ପାଇଁ ମଧ୍ୟ ଗୋଟିଏ ନଳକୂପ ହିଁ ଭରସା । ନା ଅଛି କୂଅ ନା ଅଛି ଚୂଆଁ । ଗୋଟିଏ ନଳକୂପ ଉପରେ ହିଁ ପିଇବା ପାଇଁ ଏବଂ ଗାଧୋଇବା ସହ ଅନ୍ୟାନ୍ୟ ବ୍ୟବହାର ପାଇଁ ଗ୍ରାମ ବାସୀ ନିର୍ଭର କରୁ ଥିବା କହିଛନ୍ତି । ଫଳରେ ସକାଳୁ ସକାଳୁ ନଳକୂପରେ ଲାଗି ଯାଉଛି ଲମ୍ବା ଲାଇନ୍ । ଶୀଘ୍ର ପାଣି ନେବା ପାଇଁ ଆରମ୍ଭ ହେଉଛି ପ୍ରତିଯୋଗିତା। ଫଳରେ ମହିଳାଙ୍କ ମଧ୍ୟରେ ପାଟିତୁଣ୍ଡ ହେବାର ଦେଖାଦେଉଛି । ପାଣି ପାଇଁ ସାହିରେ ପ୍ରତ୍ୟେକ ଦିନ ଅଶାନ୍ତି ଦେଖା ଦେଉଛି । ଉକ୍ତ ନଳକୂପରୁ ପାଣି ସଠିକ୍ ଭାବେ ବାହାରୁ ନଥିବା ବେଳେ ୨/୩ ବାଲଟି ବାହାରିବା ପରେ ଆଉ କିଛି ସମୟ ଯାଏଁ ପାଣି ବାହାରୁନି । ପୁଣି କିଛି ସମୟ ଅପେକ୍ଷା କରିଲେ ପାଣି ବାହାରୁଛି । ଫଳରେ ମହିଳା ମାନେ ପାଣିକୁ ଅପେକ୍ଷା କରି ଦିନ ସରି ଯାଉଛି । କାମ ଧନ୍ଦାକୁ ସଠିକ୍ ଭାବେ ଯାଇ ପାରୁନାହାନ୍ତି । ଅନ୍ୟ ପଟେ ଜଳ ଯୋଗାଣ ନେଇ ବ୍ୟବସ୍ଥା ରହିଥିଲେ ସୁଦ୍ଧା ସପ୍ତାହକୁ ମାତ୍ର ଦୁଇ ଦିନ ଜଳ ଯୋଗାଣ ହେଉଛି । ତାହା ପୁଣି ୨୦ ରୁ ୩୦ ମିନିଟ ପାଇଁ । ଫଳରେ ଲୋକେ ସଠିକ୍ ମାତ୍ରାରେ ଜଳ ପାଇ ପାରୁନାହାନ୍ତି । ଏଭଳି ଭାବେ ପାଣି ପାଇଁ ରହିଛି ଅନେକ ସମସ୍ୟା । ଏଣୁ ସ୍ଲୁକି ଓ କାଣ୍ଡାପା ଗାଁରେ ଆଉ ୨ ଟି ଲେଖାଏଁ ନଳକୂପ ଏବଂ ସୌର ଚାଳିତ ଜଳ ଯୋଗାଣ ଦେଲେ ଉକ୍ତ ଗ୍ରାମବାସୀ ଉପକୃତ ହୋଇ ପାରିଥାନ୍ତେ । ଏଣୁ ଦାରିଙ୍ଗବାଡ଼ି ସ୍ବେଛାସେବୀ ଅନୁଷ୍ଠାନ “ଗ୍ରାମବିକାଶ”ର ଏନଜିଓ ଯୁବ ସମାଜ ସେବକ ଅକ୍ଷୟ ପରିଛା ଏବଂ ଉକ୍ତ ଗ୍ରାମର ଶ୍ରୀଦେବୀ ନାୟକ, ଲବ୍ଲୀ ବଳିୟାରସିଂ, ରାକ୍ଷୀମା ପ୍ରଧାନ, ସରିତା ପ୍ରଧାନ, ସାଧନା ପ୍ରଧାନ, ମିନି କୁମାରୀ ନାୟକ, ଜନନୀ ପ୍ରଧାନ ସମେତ ଉକ୍ତ ଅଞ୍ଚଳବାସୀ ଦାବି କରିଛନ୍ତି ।