କୋର୍ଟ ସମ୍ମୁଖରେ ଯୁବକକୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା ଅଭିଯୋଗ….

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ଜନବହୁଳ ଅଞ୍ଚଳ କୋର୍ଟ ସମୁଖରେ ଗୁରୁବାର ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ଅତି ନିର୍ମମ ଭାବେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଲେ ବୁଦୁଲି ଗ୍ରାମର ରାମନାଥ ସ୍ଵାଇଁଙ୍କ ପୁଅ ଅଶୋକ କୁମାର ସ୍ଵାଇଁ (୪୪) । ଆଜି ଅଶୋକ ଭଞ୍ଜନଗର କୋର୍ଟରେ ଏକ ମାମଲାର ବାଇଦା ନେଇ ଆସିଥିଲେ । କୋର୍ଟ କାମ ସାରି ସେ ବାହାରକୁ ଆସୁଥିବା ବେଳେ କୋର୍ଟ ବାହାରେ ଜଣେ ବ୍ୟକ୍ତି ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଫଳରେ ତାଙ୍କର ମୁଣ୍ଡା ଓ ଦୁଇ ହାତରେ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ଅଭିଯୁକ୍ତକୁ କାବୁ କରିବା ସହ ପୁଲିସକୁ ଖବର ଦେଇଥିଲେ । ପୁଲିସ ଆହତ ଅବସ୍ଥାରେ ଅଶୋକଙ୍କୁ ଭଂଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ୍ ରକ୍ତାକ୍ତ ଟାଙ୍ଗିଆକୁ ଜବତ କରିବା ସହ ଅଭିଯୁକ୍ତକୁ ଅଟକ ରଖି ପଚାଉଚରା କରୁଛି । ଅଭିଯୁକ୍ତ ଜଣଙ୍କ ପଢାଳ ଗ୍ରାମର ଦିଲ୍ଲୀପ ଜେନା ବୋଲି ଜଣାପଡିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏଭଳି ଏକ ଘଟଣା ସହରରେ ଆଲୋଡନ ସୃଷ୍ଟି କରିଛି । ପୁଲିସ ଏନେଇ ତଦନ୍ତ ଜାରି ରଖିଛି ।