ବିଭିନ୍ନ ଦାବୀରେ ସିର୍କାବର୍ଗ ପଞ୍ଚାୟତବାସୀଙ୍କ ୬ଘଣ୍ଟା ରାସ୍ତା ରୋକ, ପ୍ରଶାସନର ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହୃତ…
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ଅଞ୍ଚଳରେ ରହିଥିବା ସିର୍କାବର୍ଗ ପଞ୍ଚାୟତରେ ବିଭିନ୍ନ ସମସ୍ୟା ଲାଗି ରହିଛି । ବିଶେଷ କରି ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ଉକ୍ତ ରାସ୍ତା ସମ୍ପ୍ରସାରଣ ପରଠାରୁ ରାସ୍ତାର ରକ୍ଷଣାବେକ୍ଷଣ ଅଭାବରୁ ସେହି ରାସ୍ତାରେ ଯାତାୟାତର ଘୋର ସମସ୍ୟା ଦେଖା ଦେଇଥିବା ବେଳେ ଖରା ଦିନ ନ ଆସୁଣୁ ପାନୀୟ ଜଳର ସମସ୍ୟା ମଧ୍ୟ ଦେଖା ଦେଇଛି l କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆ ନାମରେ ସମସ୍ତ ବିଷୟ ଅନଲାଇନ୍ ସେବା ଉପଲବ୍ଧ କରୁଥିବା ବେଳେ ନେଟୱର୍କ ଅଭାବରୁ ଦୂର୍ଗମ୍ ଅଞ୍ଚଳର ଲୋକେ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି l ଏତଦ୍ ବ୍ୟତୀତ ଏହି ଅଞ୍ଚଳକୁ ସରକାରୀ ଲକ୍ଷ୍ମୀ ବସ ସେବା ଯୋଗାଇ ଦେଇ ଥିଲେ ମଧ୍ୟ ଲୋକଙ୍କୁ ସଠିକ୍ ସୁବିଧା ଯୋଗାଇ ପାରୁ ନାହାନ୍ତି l ବ୍ଲକ, ତହସିଲ, ଥାନା ଓ କୋର୍ଟ କାମରେ ଆସିଥିବା ଲୋକେ ସଠିକ୍ ସମୟରେ ଫେରି ପାରୁ ନଥିବାରୁ ଉକ୍ତ ବସ ସେବାକୁ ବଢ଼ାଇବା ପାଇଁ ଦାବୀ କରିଛନ୍ତି । ଅଞ୍ଚଳବାସୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ସମେତ ସ୍ଥାନୀୟ ପ୍ରଶାସନ ଓ ଜିଲା ପ୍ରଶାସନକୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିବାରୁ ସୋମବାର ସକାଳ ୭ ଟାରୁ ସିର୍କାବର୍ଗ ପଞ୍ଚାୟତ ଅଞ୍ଚଳର ଶତାଧିକ ମହିଳା ପୁରୁଷ ଉକ୍ତ ପଞ୍ଚାୟତର ବଡାଙ୍ଗିଆ ଗ୍ରାମରେ ରାସ୍ତା ଅବରୋଧ କରିଥିଲେ l ପ୍ରଥମେ ଅଞ୍ଚଳବାସୀ ସରକାରୀ ବସ ତଥା ପଞ୍ଚାୟତ ହେଡକ୍ୱାର୍ଟରରୁ ଦାରିଙ୍ଗବାଡି ଆସୁଥିବା ଲଷ୍ମୀ ବସକୁ ଅଟକାଇ ଥିଲେ l ଖବର ପାଇ ତହସିଲଦାର ଧିରଜ୍ ପାତ୍ର, ପୂର୍ତ୍ତ ବିଭାଗ ଯନ୍ତ୍ରୀ ଓ ଥାନା ଆଇ ଆଇ ସି ସଂଗ୍ରାମ କେଶରୀ ଜେନା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କାରୀଙ୍କୁ ବୁଝାସୁଝା କରିଥିଲେ l ରାସ୍ତା ନିର୍ମାଣ କାରୀସଂସ୍ଥାର ଯନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ ଅଞ୍ଚଳ ବାସୀ ଆନ୍ଦୋଳନରୁ ଓହରି ଥିବା ଜଣା ପଡ଼ିଛି ।