ଭଞ୍ଜନଗର(ନିଲୁ ବିଷୋୟୀ): ସହର ଆଖପାଖ ଅଞ୍ଚଳରେ କିଛି ଦିନ ହେଲା ବେଆଇନ ଭାବେ ବ୍ରାଉନ ସୁଗାର ବେପାର ଲୁଚା ଛପାରେ ଚାଲିଥିବା ଅଭିଯୋଗ ହେଉଥିବା ବେଳେ ଗତକାଲି ଭଞ୍ଜନଗର ପୁଲିସ ୨ଜଣ ଯୁବକଙ୍କ ଠାରୁ ୫୧.୭୪ ଗ୍ରାମ ଓଜନର ବ୍ରାଉନ୍ ସୁଗାର୍ ଜବତ କରିଛି । ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ଖଲିକୋଟ ଥାନା ବନ୍ଧୁଗାଁର ଚନ୍ଦନ ମହାପାତ୍ର ଓ ଭେଜିପୁଟ ଅଞ୍ଚଳର ଓମ ପ୍ରକାଶ ସ୍ବାଇଁ । ଏଥିସହ ସେମାନଙ୍କ ନିକଟରୁ ନଗଦ ୨୭୦୦ ଟଙ୍କା, ସ୍କୁଟି ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି । କେସ୍ ନମ୍ବର ୧୬୬/୨୬ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଜେନା ଏକ ପ୍ରେସ ବିବୃତ୍ତିରେ ସୁଚନା ଦେଇଛନ୍ତି । ସୂଚନାନୁସାରେ ଭଞ୍ଜନଗର ସହରକୁ ଜିଲ୍ଲା ଓ ରାଜ୍ୟ ବାହାରରୁ ବ୍ରାଉନସୁଗର ଆସୁଥିବା ଅଭିଯୋଗ ହେଉଥିଲା । ଏହାର କବଳରେ ପଡ଼ି ଯୁବକ ସର୍ବସ୍ୱାନ୍ତ ହୋଇ ପଡୁଥିଲେ । ବ୍ରାଉନ ସୁଗାର କାରବାର ଉପରେ ଚଢ଼ାଉ କରିବାକୁ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ ରହିଥିବା ଶ୍ରୀ ଜେନା ପ୍ରକାଶ କରିଥିବା ବେଳେ ଗତକାଲି ଏସ୍ଆଇ ସମୀର କୁମାର ସେଠୀ ଖବର ପାଇଁ ଶାଳୁଆପଲ୍ଲୀ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଗୋଟିଏ ସ୍କୁଟିରେ ୨ ଜଣ ଯୁବକକୁ ସନ୍ଦେହ ଜନକ ଭାବେ ଦେଖି ଅଟକାଇ ଯାଞ୍ଚ କରିବା ପରେ ବ୍ରାଉନସୁଗାର ମିଳିଥିବା ସେ କହିଛନ୍ତି । ଏଥିପୂର୍ବରୁ ଗତବର୍ଷ ଅଗଷ୍ଟ ମାସରେ ମଧ୍ୟ ପୁଲିସ ୩୧ ଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନସୁଗର ଜବତ କରିବା ସହ ୩ ଜଣକୁ କୋର୍ଟ ଚାଲାଣ କରିଥିଲା ।
Prev Post