ଭଞ୍ଜନଗର(ନିଲୁ ବିଷୋୟୀ): ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ରେଞ୍ଜ ବାଇବାଲି ସେକ୍ସନ ବଜ୍ରକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରୁ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆର ମୃତଦେହକୁ ବନବିଭାଗ ଜବତ କରିଛି । ଖବର ପାଇ ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତି, ରେଞ୍ଜର ବିମ୍ବାଧର ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ଫେରି ଆସିଛନ୍ତି । ବାଘ ଛୁଆଟିର ବୟସ ପ୍ରାୟ ଦୁଇ ବର୍ଷ ହେବ । ଛୁଆ ବାଘଟି କେଉଁଭଳି ପରିସ୍ଥିତିରେ ମୃତ୍ୟୁବରଣ କରିଛି ସଠିକ୍ କିଛି ଜଣାପଡ଼ିନାହିଁ । ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି କହିଛନ୍ତି । ସୂଚନାନୁସାରେ ବୁଧବାର ମଧ୍ୟାହ୍ନ ସମୟରେ ବଜ୍ରକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କିଛି ଛାତ୍ର ବଲ୍ ଖେଳୁଥିଲେ । ବଲଟି ବିଦ୍ୟାଳୟ ପାଚେରୀ ଡେଇଁ ଏକ ବୁଦା ଆଡ଼େ ଯାଇଥିଲା । ଏହି ସମୟରେ ଜଣେ ଛାତ୍ର ବଲଟିକୁ ଗୋଟାଇବାକୁ ବୁଦା ଆଡ଼େ ଯାଇଥିଲେ । ଏହି ସମୟରେ ଛାତ୍ରଜଣଙ୍କ ଏକ ଜନ୍ତୁ ମରି ପଡ଼ିଥିବା ଦେଖି ଅନ୍ୟ ସାଥିମାନଙ୍କୁ କହିଥିଲେ । ଏହା ପରେ କଥା ଯାଇ ଗ୍ରାମବାସୀଙ୍କ ପାଖରେ ପହଞ୍ଚିବା ପରେ ଘଟଣାସ୍ଥଳରେ ଲୋକେ ରୁଣ୍ଡ ହୋଇଥିଲେ । ପରେ ତାହା ଏକ କଲରାପତରିଆ ବାଘ ଛୁଆ ବୋଲି ଜଣାପଡିଥିଲା । ଏହା ପରେ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଛୁଆଟିର କୌଣସି ଆଘାତ ଚିହ୍ନ ନାହିଁ । ଗୁରୁବାର ପଶୁ ଡାକ୍ତରୀ ଦଳଙ୍କ ଦ୍ବାରା ମୃତ ବାଘଛୁଆର ବ୍ୟବଚ୍ଛେଦ କରାଯାଇ ନିକଟରେ ସତ୍କାର କରଯାଇଛି ।