ଦାରିଙ୍ଗବାଡି(ଆଶୋକ ସିଂ): ରାଜ୍ୟ ମାଟ୍ରିକ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି । ଏହି ଅବସରରେ କନ୍ଧମାଳ ଜିଲ୍ଳା ଦାରିଙ୍ଗବାଡି ବ୍ଲକର ୧୦ ଗୋଟି ପରୀକ୍ଷା କେନ୍ଦ୍ରରେ ୧୬୬୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ରହିଥିବା ବେଳେ ପ୍ରଥମ ଦିନରେ ୧୬୨୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହି ପରୀକ୍ଷା ଦେଇଥିବା ବେଳେ କୌଣସି କାରଣରୁ ୩୮ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ଜଣା ପଡ଼ିଛି । ବ୍ରାହ୍ମଣୀଗାଁ ହବ ସେଣ୍ଟର୍ ଅଧୀନରେ ୫ ଗୋଟି ପରୀକ୍ଷା କେନ୍ଦ୍ର ରହିଥିବା ବେଳେ ପରିଚାଳନା ପାଇଁ ନୋଡାଲ ଅଫିସର ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃପାସିନ୍ଧୁ ସିଂ ଓ ଡେପୁଟି ନୋଡାଲ ଅଫିସର ଭାବେ ଦିବ୍ୟ କିଶୋର କହଁର ପରିଚାଳନା କରିଥିଲେ । କପି ରୋକିବା ପାଇଁ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ବ୍ୟବହାର କରଯାଇଥିବା ବେଳେ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ବିଜୟ କୁମାର ହାଇବୁରୁଙ୍କ ତତ୍ତ୍ଵାବଧାନରେ ପୁଲିସ ଫୋର୍ସ ନିୟୋଜିତ ରହି ପ୍ରଶ୍ନ ପତ୍ର ଗୁଡ଼ିକ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ପହଞ୍ଚା ଯାଇଥିଲା । ବ୍ଲକ ଅଞ୍ଚଳରେ ସୁରୁଖୁରୁ ଭାବେ ପରୀକ୍ଷା କେନ୍ଦ୍ର ପରିଚାଳିତ ହୋଇଥିବା ବେଳେ ଏବିଇଓ ବନମାଳୀ ମାଝୀ ଓ ଗୋକୁଳାନନ୍ଦ ନାୟକ ବିଭିନ୍ନ କେନ୍ଦ୍ର ପରିଦର୍ଶନ କରି ତଦାରଖ କରିଥିଲେ ।