ଭଞ୍ଜନଗର(ନିଲୁ ବିଷୋୟୀ): ଦୁର୍ଘଟଣାରେ ଯୁବ ଆଇନଜୀବୀ ତଥା ବିଜେପି ନେତା ଅରୁଣ ପ୍ରଧାନ(୫୨)ଙ୍କ ଦେହାନ୍ତ ଘଟିଛି । ଗତକାଲି ରାତିରେ ସେ ନିଜ ଗ୍ରାମ ଗାୟଗଣ୍ଡା ଆଡକୁ ଯାଉଥିବା ସମୟରେ ଦୁର୍ଘଟଣାର ଶୀକାର ହୋଇଥିଲେ । ଗାଡିରେ ସେ ଏକୁଟିଆ ରହିଥିବା ବେଳେ ଗାଡିଟି ଚୁରମାର ହୋଇଯାଇ ରାସ୍ତାକଡ ଗଛ ସହ ଧକ୍କା ହେବା ସହ ବିଲମାଳକୁ ପଳାଇଥିଲ । ତୁରନ୍ତ ସ୍ଥାନୀୟ ଲୋକ ଉଦ୍ଧାର କରିବାର ସହ ତାରସିଂ ପୁଲିସ ଗାଡିରେ ତାଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ମୃତ୍ୟୁ ଖବର ପାଇଁ ବହୁ ଆଇନଜୀବୀ ଓ ତାଙ୍କ ଶୁଭେଚ୍ଛୁଙ୍କ ଭିଡ ଜମିଥିଲା । ସେ ଜଣେ ଦକ୍ଷ ଆଇନଜୀବୀ ସହ ମେଳାପୀ, ପରୋପକାରୀ ଓ ସମାଜସେବା ସହ ବିଜେପି ଦଳର ଜଣେ ସଙ୍ଗଠକ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଆଜି ସକାଳୁ ପରିବାର ପକ୍ଷରୁ ଅଜଣା ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଲିଖିତ ଅଭିଯୋଗ ହେବା ପରେ ତାରସିଂ ପୁଲିସ୍ କେସ ନମ୍ବର ୪୯୯ରେ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଇନ୍ସପେକ୍ଟର ସମୀର କୁମାର ବେହେରା ସୂଚନା ଦେଇଛନ୍ତି । ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଗଭୀର ଶୋକବ୍ୟକ୍ତ କରିଥିଲେ । ତାଙ୍କର ଅକାଳ ବିୟୋଗରେ ଭଞ୍ଜନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏଏସପି ରଞ୍ଜନ କୁମାର ଦେ, ଏସ୍ଡିପିଓ ଡ.ଦୀପକ କୁମାର ମିଶ୍ର,ତାରସିଂ ପୁଲିସ ପ୍ରମୁଖ ଭଞ୍ଜନଗର ମେଡ଼ିକାଲରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି ।