ଦାରିଙ୍ଗବାଡି(ଅଶୋକ ସିଂ): ବଡ଼ଦିନ ପର୍ବ ଯେତିକି ପାଖ ଆସୁଛି ଗାଁରୁ ସହର ଯାଏଁ ହାଟ ବଜାର ସେତିକି ଚଳ ଚଞ୍ଚଳ ହେଉଛି l ସୋମବାର ଦିନ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ସାପ୍ତାହିକ ହାଟରେ ବେଶ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ହାତ ପାହାନ୍ତାରେ ସୁଲଭ ଦରରେ ଅତ୍ୟାବଶକୀୟ ସାମଗ୍ରୀ ମିଳୁ ଥିବାରୁ ଆନନ୍ଦ ଓ ଉଲ୍ଲାସର ସହ ଖୁସି ମନରେ ଅଞ୍ଚଳବାସୀ କିଣାକିଣି କରୁଥିବା ଦେଖିବାକୁ ମିଳିଛି l ଅଞ୍ଚଳ ବାସୀଙ୍କ ପାଇଁ ଏହି ବର୍ଷର ବଡ଼ ହାଟ ବୋଲି କୁହାଯାଏ । ବଡ଼ଦିନ ପର୍ବ ପାଇଁ ବିଶେଷ କରି ତେଲ, ଗୁଡ଼, ନୁଆଁ ପୋଷାକ ଓ ଘର ସଜ୍ଜା ଉପକରଣ ଆଦି ବହୁଳ ମାତ୍ରାରେ ବିକ୍ରି ହୋଇଥିବା ଦେଖାଦେଇଛି l ବ୍ୟବସାୟୀମାନେ ମଧ୍ୟ ଅଞ୍ଚଳବାସୀଙ୍କ ଆବଶ୍ୟକତାକୁ ଲକ୍ଷ କରି ବିଭିନ୍ନ ସାମଗ୍ରୀ ନେଇ ଭୋର ସକାଳୁ ହାଟରେ ପହଞ୍ଚି ଥିଲେ l ବ୍ରାହ୍ମଣୀ ଗାଁ ବଜାର ବ୍ୟତୀତ ହାଟରେ ପ୍ରାୟ ତିନିଶହରୁ ଉର୍ଦ୍ଧ ଷ୍ଟଲ ଲାଗିଥିବା ବେଳେ ପ୍ରାୟ ୧୩ ଗୋଟି ପଞ୍ଚାୟତର ହଜାର ହଜାର ଲୋକ ଆସି ମାର୍କେଟିଙ୍ଗ କରିଥିବା ଦେଖିବାକୁ ମିଳିଛି । ଭିଡ଼କୁ ଦୃଷ୍ଟିରେ ରଖି ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ଆଇଆଇସି ବିଜୟ କୁମାର ହାଇବୁରୁଙ୍କ ନିର୍ଦେଶରେ ପ୍ରତ୍ୟେକ ପ୍ରବେଶ ପଥରେ ପୁଲିସ ଫୋର୍ସ ମୁତୟନ କରି ଗାଡ଼ି ମୋଟର ଚଳାଚଳକୁ ନିୟନ୍ତ୍ରଣ କରିଥିଲେ ।