ନଦୀକୁ ଲୁଗା ସଫା କରିବାକୁ ଯାଇ ମହିଳାଙ୍କ ସାପ କାମୁଡ଼ାରେ ମୃତ୍ୟୁ….

ରା.ଉଦୟଗିରି(ଆକାଶ ଦାସ): ଜୀବନ ଗୋଟେ ପାଣି ଫୋଟକା । ମୃତ୍ୟୁ କାହାକୁ କେତେବେଳେ ଓ କେଉଁ ପ୍ରକାର ଆସିବ କେହି ଆକଳନ କରିପାରେ ନାହିଁ । ନଦୀକୁ ଲୁଗା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି l ଆଜି ଏମିତି ଏକ ହୃଦୟ ବିଦାରକଘଟଣା ଦେଖିବାକୁ ମିଳିଛି । ମୃତ ଜଣକ ହେଲେ ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ରାମଗିରି ଗ୍ରାମପଞ୍ଚାୟତର ଖ୍ରୀଷ୍ଟିଆନ ସାହିର ଶଶୀକଳା ମାଝୀ ନାମକ ୫୫ ବର୍ଷୀୟା ଜଣେ ଅବିବାହିତ ମହିଳା ।  ଆଗକୁ ଖ୍ରୀଷ୍ଟ ଧର୍ମର ବଡ଼ଦିନ ପାଳିବା ପାଇଁ ଘର ସଫାସୁତରା କରି ଲୁଗାପଟା ସଫା କରିବା ପାଇଁ ନିକଟସ୍ଥ ନଦୀକୁ ଲୁଗା ସଫା କରିବାକୁ ଯାଇଥିଲେ । ସେହି ସମୟରେ ଏକ ବିଷାକ୍ତ ସାପ ତାଙ୍କ ବାମ ଗୋଡ଼ର ବୁଢ଼ା ଆଙ୍ଗୁଠିରେ କାମୁଡିଥିଲା । ସେଠାରେ ସେ ଆଚେତ ହୋଇ ବହୁ ସମୟ  ପଡିରହିଥିଲେ l କିଛି ଲୋକ ସେ ପଡ଼ିଥିବା ଦେଖି ତୁରନ୍ତ ରାମଗିରି ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ଓ ପ୍ରାଥମିକ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା l କିନ୍ତୁ ଶଶୀକଳାଙ୍କ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା l ତାଙ୍କ ମୃତ୍ୟୁରେ ପରିବାର ବର୍ଗଙ୍କ ସହ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର ହେବ ବୋଲି ଜଣାପଡିଛି ।