କେଏମ ଭାଲିଆ ସାହି ଠାରେ ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ ପାଳିତ…..

ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲାର ରା ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେଏମ  ଭାଲିଆସାହି ଠାରେ ପିଏମଶ୍ରୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଓ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଉକ୍ତ ଉତ୍ସବ ସଫଳତାର ସହିତ ସମାପନ ହୋଇଥିଲା । ମୁଖ୍ୟ ଅତିଥି ଭାବେ ପୁଲିସ୍ ଅଧକାରୀ ଶ୍ରୀଯୁକ୍ତ ପ୍ରବୀର କୁମାର ଜଗତସିଂ(ଛେଲିଗଡ), ଏବଂ ଦାଶରଥି ଶବର ପୁଲିସ ଅଧିକାରୀ ଛେଲିଗଡ଼, ୱାର୍ଡ ମେମ୍ବର ଶ୍ରୀଯୁକ୍ତ ଭୁବନାନନ୍ଦ ନାୟକ, ଗ୍ରାମ ମୁଖିଆ ଶ୍ରୀଯୁକ୍ତ ଘନଶ୍ୟାମ ବେହର୍ଦଳାଇ ଓ ବିଘ୍ନେଶ୍ୱର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଭାକୁ ସଫଳ ମଣ୍ଡିତ କରାଇଥିଲେ । ଏହି ଅବସରରେ ୨୦୩୬ ସୁଧା ବିକଶିତ ଓଡ଼ିଶା ବିଷୟକୁ ନେଇ ପିଲାମାନଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ, ପ୍ରକଳ୍ପ ଏବଂ ପ୍ରବନ୍ଧ ଲିଖନ ଆଦି ପ୍ରତିଯୋଗିତା କରାଯାଇ କୃତୀ ପ୍ରତି ଯୋଗିକୁ ପୁରସ୍କୃତ କରାଯାଇଥିଲା । ସେହିପରି ଛାତ୍ରଛାତ୍ରୀମାନଙ୍କର ପ୍ରତିଭାକୁ ବିକାଶ କରିବା ପାଇଁ ବିଭିନ୍ନ ପ୍ରକାର ସୃଜନାତ୍ମକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତତ୍ ସହିତ ସାହିତ୍ୟ ସୃଜନୀ, କ୍ରୀଡାଙ୍ଗନ, କୌଶଳୀ ଓ ଜିଜ୍ଞାସା ବିଭାଗରେ ମଧ୍ୟ ବିଭିନ୍ନ ପ୍ରକାର ପ୍ରଦର୍ଶନ ହୋଇପାରିଥିଲା । ଗ୍ରାମୀଣ ହାଟ ବଜାର ଅନୁଷ୍ଠିତ ହୋଇ ପିଲାମାନେ ବିକା କିଣାର ନୀତି ନିୟମ ଏବଂ ଲାଭ କ୍ଷତି ବିଷୟରେ ଧାରଣା ପ୍ରାପ୍ତ ହୋଇଥିଲେ । ଏହି ଉତ୍ସବ ପାଳନ ଦ୍ବାରା ପିଲାମାନେ ଆନନ୍ଦିତ ଥିବାର ଲକ୍ଷ୍ୟ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ଯୁଧିଷ୍ଠିର ପାଇକ ମଞ୍ଚ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ପୂର୍ଣ୍ଣ ସହଯୋଗରେ ଉତ୍ସବଟି ସଫଳ ହୋଇପାରିଥିଲା ।