ଭଞ୍ଜନଗର(ନିଲୁ ବିଷୋୟୀ): ପରିସ୍ଥିତିରେ ପଡି ହେଉ କିମ୍ବା ଅନ୍ୟ କୌଣସି କାରଣରୁ ମାନସିକ ଭାବେ ଠିକ ନଥିବା ଲୋକମାନେ ନିଜ ପରିବାର ଠାରୁ ଅଲଗା ହୋଇ ଏଣେ ତେଣେ ବୁଲୁଥିବା ଦେଖିବାକୁ ମିଳେ । ସେମାନଙ୍କ ମାନସିକ ସ୍ଥିତି ଠିକ ନଥିବାରୁ ନିଜର ଠିକଣା କହି ପାରନ୍ତି ନା ପରିଚୟ । ପରଆଶ୍ରାରେ ଏମାନଙ୍କର ଜୀବନ ବିତୁଥିବା ବେଳେ କେହି ଦୟା ପଡି କିଛି ଦେଲେ ପେଟ ପୁରେ ନଥିଲେ ଭୋକରେ ରହି ଯାଆନ୍ତି । ଜୀବନର ଧାଁ ଦଉଡ ଭିତରେ ଏଭଳି ଅସହାୟ ମାନସିକ ସ୍ଥିତି ଠିକ ନଥିବା ଲୋକଙ୍କ ନିକଟରେ ଠିଆ ହୋଇ ବିପଦର ବନ୍ଧୁ ଓଡିଶା ସଙ୍ଗଠନର ସଦସ୍ୟମାନେ ସେମାନଙ୍କ ପାଇଁ ନୂଆ ଦିଶା ସୃଷ୍ଟି କରିଛନ୍ତି । ଆଜି ଭଞ୍ଜନଗର ଅଞ୍ଚଳରେ ରହୁଥିବା ଅସହାୟ, ଅବହେଳିତ ଏବଂ କିଛି ମାନସିକ ବିକାର ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ପୋଷକ ଆଦି ବଦଳାଇବା ସହ ମିଶନ ଆଶ୍ରା ସହ ବିପଦର ବନ୍ଧୁ ଅନୁଷ୍ଠାନ ପକ୍ଷରୁ ମାନସିକ ବିକାରଙ୍କୁ ଉଦ୍ଧାର କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ଭଞ୍ଜନଗର ସହରର ସମସ୍ତ ସାହି ବସଷ୍ଟାଣ୍ଡ, ପରିବା ବଜାର, ମେନ ରୋଡ଼, ମେଡିକାଲ ବାଉଁଶଲୁଣ୍ଡି ବ୍ୟତୀତ ମୁଜାଗଡ଼, ବେଲଗୁଣ୍ଠା, ମଙ୍ଗଳପୁର, ବାରୁଡ଼ା, କୁଲାଡ ଗୋଲାପଡା ଭଳି ବିଭିନ୍ନ ସ୍ଥାନରୁ ପ୍ରାୟ ୧୫ରୁ ଉର୍ଦ୍ଧ ଏଭଳି ବ୍ୟକ୍ତିଙ୍କୁ ଉଦ୍ଧାର କରି ସ୍ବତନ୍ତ୍ର ବସ ଯୋଗେ ବ୍ରହ୍ମପୁର ସ୍ଥିତ ମିଶନ ଆଶ୍ରା ଆଶ୍ରମକୁ ପଠାଯାଇଛି । ସେଠାରେ ସେମାନଙ୍କ ଉତ୍ତମ ଚିକିତ୍ସା ସହ ରହିବା ଖାଇବା ଓ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟ ଅନୁଷ୍ଠାନ ଦ୍ୱାରା ମାଗଣାରେ କରାଯିବ ବୋଲି ଅନୁଷ୍ଠାନର ଉପସଭାପତି ଅରକ୍ଷିତ ପରିଚ୍ଛା ପ୍ରକାଶ କରିଛନ୍ତି । ପୂର୍ବରୁ ମଧ୍ୟ ବିପଦର ବନ୍ଧୁ ଅନୁଷ୍ଠାନ ପକ୍ଷରୁ ଏପରି ଉଦ୍ଧାର କାର୍ଯ୍ୟକ୍ରମ କରାଯାଇଥିଲା । ବର୍ତ୍ତମାନ ସେଥିରୁ ବହୁତ ସୁସ୍ଥ ହୋଇଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ଏଭଳି ଜନହିତକର କାର୍ଯ୍ୟ ପାଇଁ ଅନୁଷ୍ଠାନକୁ ବିଭିନ୍ନ ମହଲରୁ ପ୍ରଶଂସାର ସୂଅ ଛୁଟିଛି ।