ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଘଟିଛି ପୁଣି ଏକ ଦୁର୍ଘଟଣା । ଉକ୍ତ ଥାନା ଅଞ୍ଚଳର ଝିଞ୍ଜିରିଗୁଡ଼ା ନିକଟ ବଡୁନୁ ଘାଟି ବୁଲାନ୍ତି ଗୋଟିଏ ଟ୍ରାକ୍ଟର ଭାରସାମ୍ୟ ହାରାଇ ଓଲଟି ପଡ଼ିଥିବା ଜଣା ପଡ଼ିଛି । ଆହତ ଡ଼୍ରାଇଭର ଜଣକ ହେଉଛନ୍ତି କୁମ୍ଭାରୀ ଗାଁ ପଞ୍ଚାୟତ ଅନ୍ତର୍ଗତ ରାଜନ ଗଡ଼ ଗ୍ରାମର କର୍ନେଲିୟ ଶବର(୪୫) l ସୂଚନା ଅନୁଯାୟୀ କର୍ଣେଲିୟ ଓ ଅଡବା ଥାନା ଅନ୍ତର୍ଗତ ପଣସଡିହ ଗ୍ରାମର ସନ୍ତୋଷ ମଣ୍ଡଳ(୧୫) ଉକ୍ତ ଟ୍ରାକ୍ଟର ଯୋଗେ ପାଣିଗଣ୍ଡାରୁ ନିଜ ଗ୍ରାମ ରାଜନଗଡ଼କୁ ଯାଉଥିବା ବେଳେ ଝିଞ୍ଜିରୀଗୁଡା ନିକଟ ବାଡୁନୁ ଘାଟି ବିଲାନ୍ତିରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡ଼ିବାରୁ ଉଭୟେ ଟ୍ରାକ୍ଟର ତଳେ ଚାପି ହୋଇ ରହିଥିଲେ l ତେବେ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ବ୍ରାହ୍ମଣୀଗାଁ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଡ଼୍ରାଇଭର କର୍ଣେଲିୟଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲ ନେବାକୁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ସନ୍ତୋଷଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣା ପଡ଼ିଛି । ଉକ୍ତ ଘଟଣାରେ ପାଣିଗଣ୍ଡାରୁ ବ୍ରାହ୍ମଣୀଗାଁ ରାସ୍ତାରେ ପ୍ରାୟ ତିନି ଘଣ୍ଟା ବସ ଚଳାଚଳ ବାଧା ପ୍ରାପ୍ତ ହୋଇ ଥିବା ବେଳେ ବ୍ରହ୍ମପୁର ଅଭିମୁଖେ ଯାଉଥିବା କେତେକ ବସ ତାଙ୍କ ରୁଟ ବାତିଲ କରିଥିବା ଜଣା ପଡ଼ିଛି । ଖବର ପାଇ ବ୍ରାହ୍ମଣୀଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଜେସିବି ଯୋଗେ ରାସ୍ତା ଅବରୋଧ ହଟାଇବା ଥିବା ଜଣା ପଡ଼ିଛି ।