ଗ୍ରାମକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦେବାକୁ ଏକ ଲକ୍ଷ ଟଙ୍କା ବିଭାଗୀୟ ଅଧିକାରୀ ମାଗୁଥିବା ଅଭିଯୋଗ…..

ରା ଉଦୟଗିରି(ଆକାଶ ଦାସ): ଏପରି ଏକ ଅଭିଯୋଗ ଆସୁଛି ଗଜପତିଜିଲ୍ଲା ରା ଉଦୟଗିରି ବ୍ଲକ ପୁରୁଣାପାଣି ପଞ୍ଚାୟତ ତରବଙ୍ଗ ଗ୍ରାମରୁ। ଜିଲ୍ଲା ସଦରମହକୁମା ଠାରୁ ୧୧୦ ଓ ବ୍ଲକ ସଦରମହକୁମା ଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ପାହାଡ଼ ଜଙ୍ଗଲ ଘେରା ମଧ୍ୟରେ ଅବସ୍ଥିତ ତରବଙ୍ଗ ଗ୍ରାମ । ଏହି ଗ୍ରାମରେ ୧୦୦ ରୁ ଉର୍ଦ୍ଧ୍ବ ଆଦିବାସୀ ପରିବାର ବସବାସ କରି ଆସୁଛନ୍ତି । କିନ୍ତୁ ଏଯାଏଁ ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇ ପାରିନାହିଁ । ସନ୍ଧ୍ୟା ହେଲେ ଘନ ଅନ୍ଧାରରେ ଅଭିଶପ୍ତ ଜୀବନ କାଟୁଛନ୍ତି ଗ୍ରାମର ଶହେରୁ ଉର୍ଦ୍ଧ୍ବ ପରିବାର । ବିଦ୍ୟୁତ୍ ସଂଯୋଗ ନଥିବାରୁ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ଗ୍ରାମବାସୀ । ସରକାରଙ୍କ ପକ୍ଷରୁ ଗାଁରେ ପାଣି ଟାଙ୍କି ବସିଛି କିନ୍ତୁ ପାଣି ଉଠାଇବା ମୋଟରକୁ ବିଦ୍ୟୁତ ସଂଯୋଗ ନାହିଁ l ଏଠାକାର ଉଚ୍ଚ  ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲରେ ରୁପାନ୍ତରିତ କରାଯାଇଛି ହେଲେ ବିଦ୍ୟୁତ୍ ସଂଯୋଗ ନଥିବାରୁ ଏଲଇଡି ଟିଭି ମାଧ୍ୟମରେ ପିଲାଙ୍କ ପାଠ ପଢିବା ସ୍ବପ୍ନ ଅଧୁରା ରହିଯାଇଛି । ଏନେଇ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୈଣସି ସୁଫଳ ମିଳୁ ନଥିବାରୁ ଗ୍ରାମବାସୀଙ୍କ ଏକ ପ୍ରତିନିଧି ଦଳଯାଇ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ସରକାରଙ୍କ ପକ୍ଷରୁ କିଛି ବର୍ଷ ପୂର୍ବେ ସୋଲାର ପ୍ୟାନେଲ ମାଧ୍ୟମରେ ଗ୍ରାମର ସମସ୍ତ ଘରକୁ ଆଲୁଅ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ରକ୍ଷଣାବେକ୍ଷଣା ଅଭାବରୁ ଉକ୍ତ ସୋଲାର ବ୍ୟବସ୍ଥା ଖରାପ ହୋଇ ପଡ଼ିରହିଛି । ଗାଁ ନିକଟ ଦେଇ ଯାଇଛି ୧୧ କେଭି ବିଦ୍ୟୁତ୍ ସରବରାହ ଓ ଗାଁ ନିକଟରେ ଏକ ଟ୍ରାନ୍ସଫରମର ମଧ୍ୟ ରହିଛି କିନ୍ତୁ ଆଜି ଯାଏଁ ଗ୍ରାମକୁ ହୋଇ ନାହିଁ ବିଦ୍ୟୁତ ସଂଯୋଗ । ବିଦ୍ୟୁତ୍ ସଂଯୋଗ ପାଇଁ ଏକ ଲକ୍ଷ ଟଙ୍କା ଦେବାକୁ ବିଭାଗୀୟ ଯନ୍ତ୍ରୀ ଗ୍ରାମବାସୀଙ୍କୁ ମାଗୁଥିବା ବେଳେ ଟଙ୍କା ଦେଇ ନପାରିବାରୁ ବିଦ୍ୟୁତ ସଂଯୋଗ କରାଯାଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ପୁଣିଥରେ ଯାଇ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ । ଅତିରିକ୍ତ ଜିଲ୍ଲାପାଳ ଯଥା ଶୀଘ୍ର ବିଦ୍ୟୁତ ଯୋଗାଇଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ତେବେ ପ୍ରଶାସନ କେବେ ଓ କେମିତି ଗ୍ରାମର ଏହି ସମସ୍ୟା ଦୂରକରିବେ ସେହି ସମୟକୁ ଅପେକ୍ଷା ।