ବ୍ରାହ୍ମଣୀଗାଁ ବଡ଼ଶଙ୍ଖ ଛକ ଠାରେ ବସ ଓ ବାଇକ ମୁହା ମୁହିଁ ଧକ୍କା ଘଟଣା, ଦୀର୍ଘ ୮ ଘଣ୍ଟାର ଆନ୍ଦୋଳନ ପରେ ବ୍ରାହ୍ମଣୀଗାଁ – ପାଣିଗଣ୍ଡା ରାସ୍ତାରେ ଯାତାୟତ ସ୍ଵାଭାବିକ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ବଡ଼ଶଙ୍ଖ ଛକ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବସ ଓ ବାଇକ୍ ମୂହାମୁହିଁ ଧକ୍କାରେ ବାଇକ୍ ଆରୋହୀଙ୍କ ମଧ୍ୟରୁ ଜଣେ ମୃତ  ଆଉ ଜଣେ ଗୁରୁତର ଆହତ ହୋଇ ଥିବା ଜଣା ପଡ଼ିଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଉକ୍ତ ଥାନା ଅଞ୍ଚଳ କୀନାରୀଗାଁ ଗ୍ରାମର ପ୍ରକାଶ ବଡାଇକ (୪୫) ଓ ଆହତ ଜଣକ ହେଉଛନ୍ତି ଋଷିମାଳ କଲେଜ ଯୁକ୍ତ ଦୁଇର ଛାତ୍ରୀ ପୁଜା ରାଣୀ ପାତ୍ର । ସୂଚନା ଅନୁଯାୟୀ ମହାଲକ୍ଷ୍ମୀ ନାମକ ଏକ ଘରୋଇ ବସ୍ ବ୍ରାହ୍ମଣୀଗାଁରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ କୀନାରୀ ଗାଁରୁ ଏକ ବାଇକ ଯୋଗେ ପ୍ରକାଶ ବ୍ରାହ୍ମଣୀଗାଁ ଅଭିମୁଖେ ଆସୁଥିଲେ l ସେହି ସମୟରେ ଉକ୍ତ ବାଇକରେ ଲିପ୍ଟ ମାଗି ପୂଜା କଲେଜକୁ ଆସୁଥିଲେ । ଦୁର୍ଭାଗ୍ୟର ବିଷୟ ବଡ଼ଶଙ୍ଖ ପୂର୍ତ୍ତ ବିଭାଗ ମୁଖ୍ୟରାସ୍ତାକୁ ପହଞ୍ଚି ବ୍ରାହ୍ମଣୀଗାଁ  ଯିବାକୁ ଉଦ୍ୟତ ଥିବା ବେଳେ ବସଟି ଦୃତ ଗତିରେ ଆସି ଉକ୍ତ ବାଇକକୁ ଧକ୍କା ଦେଇ ଥିଲା l ଗାଡ଼ି ଡ଼୍ରାଇଭର ବ୍ରେକ ମାରିଥିଲେ ସୁଦ୍ଧା ବସଟି ପ୍ରାୟ ୫୦ମିଟର ପର୍ଯ୍ୟନ୍ତ ବାଇକକୁ ଘୋଷାରି ନେଇଥିଲା । ଯାହାରି ଫଳରେ ଘଟଣା ସ୍ଥଳରେ ହିଁ ପ୍ରକାଶଙ୍କ ମୃତ୍ୟୁ ଘଟିଥିବା ବେଳେ ପୂଜା ଗୁରୁତର ଆହତ ହୋଇ ଥିବା ଜଣା ପଡ଼ିଛି । ସ୍ଥାନୀୟ ଲୋକେ ଉଦ୍ଧାର କରି ପୂଜାଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ମେଡ଼ିକାଲରେ ଭର୍ତ୍ତି କରିଥିଲେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲ ନେବାକୁ ପରାମର୍ଶ ଦେଇଥିଲେ । ଉକ୍ତ ଘଟଣାକୁ କେନ୍ଦ୍ର କରି ଅଞ୍ଚଳ ବାସୀ ଗାଡ଼ି ଅଟକ ରଖିବା ସହ ମୃତ ବ୍ୟକ୍ତି ଓ ଆହତ ବ୍ୟକ୍ତିଙ୍କୁ କ୍ଷତି ପୁରଣ ଦାବୀ ରେ ରାସ୍ତା ରୋକ କରିଥିଲେ l ପ୍ରଶାସନ ଓ ଗାଡ଼ି ମାଲିକ ଆସି ଆଲୋଚନା ନ କରିବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ଜିଦରେ ଅଟଳ ରହିଥିଲେ l ତେବେ ଖବର ପାଇ ତହସିଲଦାର ଧୀରଜ ପାତ୍ର ଓ ବ୍ରାହ୍ମଣୀଗାଁ ପୁଲିସ  ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ l କିନ୍ତୁ ଗାଡ଼ି ମାଲିକ ପହଞ୍ଚି ନଥିବାରୁ ଲୋକେ ନିଜ ଜିଦରେ ଅଟଳ ରହିଥିଲେ । ଗାଡ଼ି ମାଲିକ ପହଞ୍ଚିବା ପରେ ଥାନା ପରିସର ମଧ୍ୟରେ ଆଲୋଚନା ହୋଇଥିଲା l ପ୍ରଶାସନ ପକ୍ଷରୁ ରେଡକ୍ରସ ପାଣ୍ଠିରୁ ତହସିଲଦାର ଶ୍ରୀ ପାତ୍ର ତୁରନ୍ତ ୨୦ହଜାର ସହାୟତା ପ୍ରଦାନ କରିଥିଲେ ଏବଂ ସରପଞ୍ଚ ଶ୍ରୀମତି ସଂଯୁକ୍ତା ମଲ୍ଲିକ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ସହାୟତା ପ୍ରଦାନ କରିଥିବା ବେଳେ ଗାଡ଼ି ମାଲିକ ୫୦ହଜାର ଟଙ୍କା ସହାୟତା ପ୍ରଦାନ କରିବା ସହ ମେଡ଼ିକାଲରେ ଚିକିତ୍ସା ହେଉଥିବା ଆହତ ଛାତ୍ରୀଙ୍କୁ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ଲୋକେ ଆନ୍ଦୋଳନରୁ ଓହରି ଥିଲେ । ପ୍ରାୟ ୮ଘଣ୍ଟା ଧରି ବ୍ରାହ୍ମଣୀଗାଁ – ପାଣିଗଣ୍ଡା ମୁଖ୍ୟ ରାସ୍ତା ଅବରୋଧ ହୋଇ ଥିବାରୁ ଯାତାୟତ ସଂପୂର୍ଣ୍ଣ ଠପ୍ ହୋଇଥିଲା । ଆନ୍ଦୋଳନରୁ ଓହରିବା ପରେ ଯାତାୟତ ସ୍ଵାଭାବିକ ହୋଇଛି । ପୁଲିସ ପକ୍ଷରୁ ଶବ ବ୍ୟବଛେଦ କରାଯାଇ ମର ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ଥିବା ଜଣା ପଡ଼ିଛି ।