ଦାରିଙ୍ଗବାଡି(ଆଶୋକ ସିଂ): ଗାଁକୁ ଗାଁକୁ ରାସ୍ତା ସଂଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ରାସ୍ତା ନିର୍ମାଣ କରୁଛନ୍ତି l ହେଲେ ବିଭାଗୀୟ କର୍ତୃପକ୍ଷଙ୍କ ତଦାରଖର ଅବହେଳା ଯୋଗୁଁ ଦୁର୍ଗମ ଅଞ୍ଚଳର ରାସ୍ତା ଗୁଡ଼ିକ ଅତି ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳୁଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ । ଏହି ଥାନା ଅଞ୍ଚଳର ମେରାମାହା ଛକ ଠାରୁ ହାତୀମୁଣ୍ଡାକୁ ସଂଯୋଗ କରୁ ଥିବା ଗ୍ରାମ୍ୟ ଉନ୍ନୟନ ସଡ଼କର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଛି ରାସ୍ତା ସାରା ଖାଲ ଖମା ଓ ଗର୍ତ୍ତ ସୃଷ୍ଠି ହୋଇଥିବା ବେଳେ ଘାଟିମାନଙ୍କରେ ରାସ୍ତା ଉପରୁ ମେଟେଲ ଓ ବଜୁରି ବହାରି ରହିଛି l
ଯାହାକି ବାଇକ୍ ଓ ଅଟୋ ଆରୋହୀମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଘାଟିରେ ଗାର୍ଡ ୱାଲ ନଥିବାରୁ ଲଗାଣ ବର୍ଷାରେ ରାସ୍ତାର ଉଭୟ ପାର୍ଶ୍ଵ ମାଟି ଧୋଇ ହେବାକୁ ବସିଲାଣି । ଏହି ରାସ୍ତା ଦେଇ ୪ଟି ସରକାରୀ ବସ ଓ ଦୁଇଟି ଘରୋଇ ବସ ଚଳାଚଳ କରୁ ଥିବା ବେଳେ ଶତାଧିକ ବାଇକ୍ ଓ ଅଟୋ ଚଳାଚଳ କରୁଛି । ଏହି ରାସ୍ତାଟି ଋଷିମାଳ ପର୍ଯ୍ୟଟନ ସ୍ଥଳକୁ ସଂଯୋଗ କରୁ ଥିବାରୁ ପର୍ଯ୍ୟଟକମାନେ ଆସିଲେ ରାସ୍ତାର ଅବ୍ୟବସ୍ଥା ଯୋଗୁଁ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏହି ଅଞ୍ଚଳର ପ୍ରାୟ ୧୫ ଗୋଟି ଗ୍ରାମରୁ ହଜାର ହଜାର ଲୋକ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ରାସ୍ତାର ଦୂରାବସ୍ଥା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି । ଏହି ରାସ୍ତାର ଉନ୍ନତିକରଣ ପାଇଁ ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହୋଇ ଥିଲେ ବି ଆଜକୁ ପ୍ରାୟ ପାଞ୍ଚ ବର୍ଷ ବିତି ଗଲାଣି କିଛି କାର୍ଯ୍ୟକାରୀ ହେଉ ନାହିଁ । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଅଞ୍ଚଳ ବାସୀଙ୍କ ବୃହତ ସ୍ବାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଉକ୍ତ ରାସ୍ତାର ଉନ୍ନତୀ କରଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।