ପିନ କଣ୍ଟା ନେଲା ସପ୍ତମ ଶ୍ରେଣୀ ଛାତ୍ରଙ୍କ ଜୀବନ, ସ୍କୁଲ କର୍ତୃପକ୍ଷଙ୍କ ବିରୋଧରେ ଦାରିଙ୍ଗବାଡି ଥାନାରେ ଅଭିଯୋଗ କଲେ ପରିବାର ଲୋକେ…
ଦାରିଙ୍ଗବାଡି(ଆଶୋକ ସିଂ): ମୃତ୍ୟୁ କାହାକୁ କେତେବେଳେ ଆସେ ତାହା କିଏ କହିପାରେ l ଗୋଟିଏ ସାଧାରଣ ଭୁଲ ପାଇଁ ଚାଲି ଗଲା ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ଜୀବନ । ସ୍କୁଲ ନୋଟିସ ବୋର୍ଡରେ ଲାଗିଥିବା ପିନ କଣ୍ଟା ଗିଳି ଜଣେ ସପ୍ତମ ଶ୍ରେଣୀ ଛାତ୍ର ଙ୍କ ଚିକିତ୍ସା ଧୀନ ଅବସ୍ଥାରେ ଅକାଳ ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଉଛନ୍ତି ତୁଷାର ମିଶ୍ର (୧୩) l ଏହି ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଦାରିଙ୍ଗବାଡି ଠାରେ । ପ୍ରାପ୍ତ ସୂଚନା ପ୍ରକାରେ ମୃତ ଛାତ୍ର ଜଣକ ଫୁଲବାଣୀରେ ନିଜ ମାମୁ ମାଇଁଙ୍କ ଘରେ ରହି ଫୁଲବାଣୀ ଉପକଣ୍ଠ ଧୋବାତୋଟା ସ୍ଥିତ ଆଦର୍ଶ ସ୍କୁଲରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ l ହେଲେ ଗତ ୧୫ ତାରିଖ ଦିନ ସେ ସ୍କୁଲରେ ଥିବା ବେଳେ ପ୍ରାୟ ୧୧ଟା ସମୟରେ ତୁଷାର ନୋଟିସ ବୋର୍ଡରେ ବ୍ୟବହାର ହେଉଥିବା ପିନ୍ କଣ୍ଟାକୁ ଭୂଲ ବଶତଃ ଗିଳି ଦେଇଥିଲେ l ଏନେଇ ସେ କ୍ଲାସ ଟିଚର ସମେତ ଅନ୍ୟ ଟିଚରମାନଙ୍କୁ ମଧ୍ୟ କହିଥିଲେ l କିନ୍ତୁ କୌଣସି ଟିଚର ତାଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ l ତୁଷାର କଣ୍ଟା ଗିଳି ଦେଇଥିଲେ ମଧ୍ୟ ତୋର କିଛି ହେବ ନାହିଁ ପାଣି ପିଇ ଦେ ବୋଲି କହି ଏହି କଥାକୁ ଗୁରୁତ୍ୱ ନଦେଇ ସ୍କୁଲ ଛୁଟି ହେବା ପର୍ଯ୍ୟନ୍ତ ତାକୁ ଘରକୁ ଛାଡି ନଥିଲେ l ପରେ ଛାତ୍ର ଜଣକ ଘରକୁ ଫେରି ନିଜ ମାଇଁଙ୍କୁ ପିନ୍ କଣ୍ଟା ଗିଳି ଦେଇଥିବା ଜଣାଇଥିଲେ ପରିବାର ଲୋକେ ସଙ୍ଗେ ସଙ୍ଗେ ଫୁଲବାଣୀ ଜିଲ୍ଲା ମୁଖ୍ୟ ହସ୍ପିଟାଲ ତାପରେ ବ୍ରହ୍ମପୁର ବଡ଼ ମେଡିକାଲ ଏବଂ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ l ହେଲେ ସେଠାରେ କୌଣସି ସୁଫଳ ନ ମିଳିବା ପରେ ଡାକ୍ତର ତାଙ୍କୁ କଟକ ଶିଶୁ ଭବନକୁ ରେଫର କରିଦେଇ ଥିଲେ ଆଉ ସେଠାରେ ଡାକ୍ତରଙ୍କ ବହୁ ଚେଷ୍ଟା ପରେ ଛାତ୍ରଙ୍କ ଫୁସଫୁସରେ ଅଟକି ଥିବା ପିନ୍ କଣ୍ଟାକୁ ବାହାର କରିଥିଲେ ସତ କିନ୍ତୁ ତା ପରେ ଛାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଦୀର୍ଘ ୧୦ ଦିନ ଆଇସିୟୁରେ ରଖାଯାଇଥିଲା l କିନ୍ତୁ ଗତ ୨୬ ତାରିଖ ସନ୍ଧ୍ୟା ୫ଟା ୩୦ ବେଳକୁ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା । ପୁଅକୁ ହରାଇ ବାପା କାଳୀପ୍ରସାଦ ମିଶ୍ର ମାଆ ତଟିନୀ ମିଶ୍ର ପୁରାପୁରି ଭାଙ୍ଗି ପଡିଛନ୍ତି । ଅପର ପକ୍ଷେ ସ୍କୁଲ କତ୍ତୃପକ୍ଷଙ୍କ ଚରମ ଅବହେଳା ଯୋଗୁ ତାଙ୍କ ପୁଅର ମୃତ୍ୟୁ ଘଟିଛି ବୋଲି ପରିବାର ଲୋକେ ଦାରିଙ୍ଗବାଡି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୁଅ ତାଙ୍କର ପିନ୍ କଣ୍ଟା ଗିଳି ଦେଇଛି ବୋଲି କହିବା ପରେ ମଧ୍ୟ ତାକୁ ଘରକୁ ଛାଡି ନଥିଲେ କି ତାକୁ ତୁରନ୍ତ ହସ୍ପିଟାଲ ନେଇଥିଲେ l ଏମିତି କି ସ୍କୁଲ କତ୍ତୃପକ୍ଷ ସ୍ଥାନୀୟ ଅଭିଭାବକ କିମ୍ବା ଆମକୁ ଟିକିଏ ଫୋନ ମଧ୍ୟ କରିନାହାନ୍ତି l ଦୀର୍ଘ ସମୟ ଧରି ବିଳମ୍ବ ଘଟିବାରୁ ଆମ ପୁଅର ଜୀବନ ଚାଲି ଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅକାଳରେ ଛାତ୍ର ଜଣଙ୍କ ଜୀବନ ଚାଲି ଯିବା ପରେ ମଧ୍ୟ ସ୍କୁଲ କତ୍ତୃପକ୍ଷ ମୃତ ଛାତ୍ରଙ୍କ ଘରେ ପହଞ୍ଚି ଟିକିଏ ସମବେଦନା ମଧ୍ୟ ଜଣାଇ ନଥିବା ଜଣା ପଡ଼ିଛି ।