ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ବନାଞ୍ଚଳ ବିଞ୍ଜଗିରି ବିଟର ବରୁଣପୁର ଜଙ୍ଗଲ ନିକଟରୁ ଦୁଇ ଶିକାରୀକୁ ବନ ବିଭାଗ ଗିରଫ କରିଛି । ଶିକାର ଉଦ୍ଦେଶ୍ୟରେ ବିଦ୍ୟୁତ୍ ତାର ହୁକିଂ କରି ତାର ବିଛାଉଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇଁ ବନ ବିଭାଗର ଏକ ଟିମ୍ ଚଢ଼ାଉ କରିଥିଲା । ଏହି ବେଆଇନ କାରବାରରେ ସମ୍ପୁକ୍ତ ଅଭିଯୋଗରେ ବାହାଡ଼ାପଦର ଗ୍ରାମର ବନମାଳୀ ଭୂୟାଁ ଏବଂ ସମାପଲ୍ଲୀ ଗ୍ରାମର ଶରତ ନାଇକଙ୍କୁ ଗିରଫ ପରେ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର ବିମ୍ବାଧର ସାହୁ ପ୍ରକାଶ କରିଛନ୍ତି । ଏ ନେଇ କେସ୍ ନମ୍ବର ୪୩୧ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଶିକାର ପାଇଁ ବ୍ୟବହାର କରିଥିବା ସର୍ଭିସ ତାର, ଜିଆଇ ତାର ସମେତ ହୁକିଂ ପାଇଁ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ପ୍ରକାଶ ଥାଉକି, ଉକ୍ତ ଅଞ୍ଚଳରେ ୨୪ ଟିକିଆ ହାତୀପଲର ଉପଦ୍ରବ ଜାରି ରହିଛି । ଏଥିସହ ବନ୍ୟପ୍ରାଣୀ ଶିକାର ଏବଂ ସାଇଜ କାଠ ଓ ପଟ୍ଟା କାରବାର ବଢିବାରେ ଲାଗିଛି । ଏନେଇ ପରିବେଶବିତ୍ ମାନେ ଚିନ୍ତାବ୍ୟକ୍ତ କରୁଛନ୍ତି । ସୋମବାର ବନପାଳ ବବୁଲ ସେଠୀଙ୍କ ନେତୃତ୍ୱରେ ବନରକ୍ଷୀ ସୁଶାନ୍ତ କୁମାର ମିଶ୍ର, ସଙ୍ଗୀତ ପଟ୍ଟନାୟକ, ସ୍କ୍ୱାର୍ଡ କର୍ମଚାରୀ ପ୍ରତାପ କୁମାର ସ୍ୱାଇଁ, କେଦାର ମଳିକ, ମହେନ୍ଦ୍ର ବିଷୋୟୀ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ ।