ଭଞ୍ଜନଗର(ନିଲୁ ବିଷୋୟୀ): ବାତ୍ୟା ମୋନ୍ଥା ପ୍ରଭାବରେ ମଙ୍ଗଳବାର ବର୍ଷାର ପରିମାଣ ବଢ଼ିଛି । ଏହାସହ କିଛିଦିନର ଲଘୁଚାପଜନିତ ଲଗାଣ ବର୍ଷାରେ ଭଞ୍ଜନଗର ଜଳସେଚନ ବିଭାଗ ଅଧୀନରେ ଥିବା ଡହ, ଭଞ୍ଜନଗର ଓ ସୋରଡ଼ା ଜଳଭଣ୍ଡାରର ଜଳସ୍ତର ବଢ଼ିଛି । ଉପରମୁଣ୍ଡରେ ବର୍ଷା ହେଉଥିବାରୁ ଜଳଭଣ୍ଡାରରେ ଜଳସ୍ତର ଶତ ପ୍ରତିଶତ ପୂର୍ଣ୍ଣ ହେବା ସମ୍ଭାବନା ରହିଛି । ଜଳଧାରଣ କ୍ଷମତାକୁ ଆଖି ଆଗରେ ରଖି ଆଜି ଡହ ଜଳଭଣ୍ଡାରର ଗୋଟିଏ ଗେଟ୍ ଓ ଦକ୍ଷିଣ କେନାଲ ଦେଇ ପାଣି ଛଡ଼ାଯାଇଥିବା ଡହ ଜଳସେଚନ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଇଂ.ପଞ୍ଚୁ ବେହେରା ସୂଚନା ଦେଇଛନ୍ତି । ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ସୀମାନ୍ତ ଡହ ଜଳଭଣ୍ଡାରର ଜଳଧାରଣ କ୍ଷମତା ୨୧୯୫.୦୦ ହେକ୍ଟୋମିଟର୍ ହୋଇଥିବା ବେଳେ ସୋମବାର ସକାଳ ସୁଦ୍ଧା ୯୪ ପ୍ରତିଶତ ପାଣି ଗଚ୍ଛିତ ରହିଥିଲା । ଉପରମୁଣ୍ଡରେ ବର୍ଷା ଲାଗିରହିଥବାରୁ ଜଳଭଣ୍ଡାରରେ ପାଣି ଭରି ହେବା ସମ୍ଭାବନା ରହିଛି । ଏଥିପାଇଁ ଗୋଟିଏ ଗେଟ୍ ଓ କେନାଲ ଖୋଲାଯାଇ ଲୋହରାଖଣ୍ଡି ନଦୀକୁ ପାଣି ଛଡ଼ାଯାଇଛି । ଚଳିତବର୍ଷ ଦ୍ୱିତୀୟ ଥର ପାଇଁ ପାଣି ଛଡ଼ାଯାଇଛି । ଜଳଭଣ୍ଡାରର ଜଳସ୍ତର ୮୫ ପ୍ରତିଶତ ହେବାଯାଏ ପାଣି ଛଡ଼ାଯାଇ ଗେଟ୍କୁ ବନ୍ଦ କରାଯିବ । ଏହାପରେ ଆଗାମୀ ଦିନର ସ୍ଥିତିକୁ ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ବେହେରା କହିଛନ୍ତି । ଏନେଇ ବିଭାଗ ପକ୍ଷରୁ ପୂର୍ବରୁ ଜଳଭଣ୍ଡାରର ନିମ୍ନ ଅବବାହିକାରେ ଥିବା ଡହ ଓ ଲୋହରାଖଣ୍ଡି ନଈକୂଳ ଗ୍ରାମବାସୀଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଲୋହରାଖଣ୍ଡି ନଦୀକୁ ଜଳଭଣ୍ଡାରରୁ ପାଣି ଆସିଲେ ଭଞ୍ଜନଗର ବ୍ଲକ୍ର ଡୁମାକୁମ୍ପା, ସାନକୋଦଣ୍ଡା, ବଡ଼କୋଦଣ୍ଡା ଓ ବାଉଁଶଲୁଣ୍ଡି ପଞ୍ଚାୟତ ଉପରେ ପ୍ରଭାବ ପଡ଼ିବା ଆଶଙ୍କା ଦୃଷ୍ଟିରୁ ସମସ୍ତ ନିର୍ବାଚିତ ଜନପ୍ରତିନିଧିଙ୍କୁ ସୂଚନା ଦିଆଯାଇଥିବା ଜଣାପଡିଛି ।