ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ପୋତାର ପଞ୍ଚାୟତରେ ବାତ୍ୟା ମୋନ୍ଥାର ମୁକାବିଲା କାର୍ଯ୍ୟରେ ନିୟୋଜିତ ଥିବା ଯୋଗାଣ ସହାୟକ ସୁରେନ୍ଦ୍ର ଗମାଙ୍ଗାଙ୍କ ମୃତ୍ୟୁ ହୋଇଥିବା ସୁଚନା ମିଳିଛି । ସୂଚନା ଅନୁଯାୟୀ ଯୋଗାଣ ସହାୟକ ସୁରେନ୍ଦ୍ର ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକଙ୍କୁ ଆଣିବା ସହିତ ସେମାନଙ୍କ ରହଣୀ ଓ ଖାଦ୍ୟପେୟ ବ୍ୟବସ୍ଥା ବୁଝୁଥିଲେ । ସୁରେନ୍ଦ୍ର ନିଜ ଡିଉଟି ସାରି ଖାଇବା ପରେ ଶୋଇବାକୁ ଯାଇଥିଲେ । ଏହି ସମୟରେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ । ତୁରନ୍ତ ତାଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l