ବାତ୍ୟା ପ୍ରଭାବରେ ଭୂସ୍ଖଳନ ଓ ସ୍ଥାନେ ସ୍ଥାନେ ଗଛଭାଙ୍ଗି ରାସ୍ତା ଅବରୋଧ…

ରା.ଉଦୟଗିରି(ଆକାଶ ଦାସ): ସାରା ରାଜ୍ୟରେ ଲାଗି ରହିଛି ବର୍ଷା। ବାତ୍ୟା ମୋନ୍ଥା ପ୍ରଭାବରେ ବିଜୁଳି ଘଡଘଡି ସହ ଲଗାଣ ବର୍ଷାରେ ବେହାଲ ଲୋକେ । ବଙ୍ଗୋପସାଗରରୁ ସ୍ଥଳଭାଗ ଆଡକୁ ମାଡି ଆସୁଥିବାବେଳେ ମୋନ୍ଥା ପ୍ରଭାବରେ ବର୍ଷା ଓ ପବନର ବେଗ ମଧ୍ୟ ବଢିଚାଲିଛି । ଫଳରେ ଗଜପତିଜିଲ୍ଲା ରା ଉଦୟଗିରି ବ୍ଲକର ସ୍ଥାନେସ୍ଥାନେ ଗଛ ପଡି ଯାତାୟତ ବାଧାପ୍ରାପ୍ତ ହେବା ସହ ଭୂସ୍ଖଳନ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ରା.ଉଦୟଗିରି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗଡ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖସ୍ଥ ମୁଖ୍ୟ ରାସ୍ତାରେ ଗଛ ପଡିଥିବା ଖାବର ପାଇ ଅଗ୍ନିଶମ ଦଳ ଓ ସ୍ଥାନୀୟ ଫରେଷ୍ଟ ଟିମ ପହଞ୍ଚି ଗଛ କାଟି ରାସ୍ତା ସଫା କରିଥିଲେ । ସେହିଭଳି ତବାରସିଂ ପଞ୍ଚାୟତ ବୁରୁପଦା ଠାରେ ଗଛପଡିଥିବା ଖବର ପାଇ ଓଡ୍ରାଫ୍ ଟିମ୍ ଓ ରାମଗରି ପୋଲିସ୍ ମିଶି ଗଛ କାଟି ରାସ୍ତା ସଫା କରିଥିଲେ । ରାମଗିରି ନିକଟସ୍ଥ ବଡଗାଁ ଯିବା ରାସ୍ତାରେ ଭୂସ୍ଖଳନ ଜନିତ ବଡବଡ ପଥର ଖସି ମୁଖ୍ୟ ରାସ୍ତା ବନ୍ଦ ହୋଇଥିବାବେଳେ ରା ଉଦୟଗିରି ବିଡିଓ, ତହସିଲଦାର ପୂର୍ତ୍ତ ବିଭାଗୀୟ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି । ସେପଟେ ନୂଆଗଡ ବ୍ଲକ ଅନ୍ତର୍ଗତ ଉଦୟପୁରଠାରେ ଗଛ ପଡି ରାସ୍ତା ବନ୍ଦ ହୋଇଥିବା ଖବର ପାଇ ରା ଉଦୟଗିରି ଅଗ୍ନିଶମ ଓ ପୋଲିସ୍ ପହଞ୍ଚି ଗଛକାଟି ରାସ୍ତାସଫାକରିଥିବା ଦେଖିବାକୁ ମିଳିଛି ।