ଶୁଖିଲା ଗଛର ଗଣ୍ଡି ପଡି ମୃତ ଯୁବକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ରାଜ ରାସ୍ତାରେ ଶବ ରଖି ରାସ୍ତାରୋକ….

ରା.ଉଦୟଗିରି( ଆକାଶ ଦାସ): ଗତ କାଲି ବୁଧବାର ଦିନ ସାଙ୍ଗମାନଙ୍କ ସହ ବିଲକୁ ଯାଉଥିବା ବେଳେ ରାସ୍ତା କଡରେ ଥିବା ଏକ ବିରାଟ କାୟ ଶୁଖିଲା ଆମ୍ବଗଛର ଶାଖାରୁ ଏକ ଗଣ୍ଡି ପଡି ଯୁବକଙ୍କ ମୃତ୍ୟୁର କ୍ଷତି ପୂରଣ ଦାବୀ ନେଇ ଆଜି ରାମଗିରି ହାଟପଦା ସ୍ଥିତ ଗାନ୍ଧୀ ଛକ ଠାରେ ଯୁବକଙ୍କ ପରିବାର ଓ ଶତାଧିକ ମହିଳା  ପୁରୁଷ ଏବଂ ଯୁବକ ରାସ୍ତା ଉପରେ ଶବ ରଖି ରାସ୍ତାରୋକ କରିଥିଲେ  l ଯାହା ଫଳରେ ରାମଗିରି ଦେଇ ଯାତାୟାତ କରୁଥିବା ସମସ୍ତ ଗାଡି ମୋଟର ଚଳାଚଳ ଠପ୍ ହୋଇଥିଲା  l କେବଳ ଜରୁରୀ କାଳୀନ ସେବା ବ୍ୟତୀତ ଅନ୍ୟ ସବୁ ଭାରି ଓ ହାଲୁକା ଯାନ ଗୁଡିକ ଅଟକି ରହିଥିଲା l ତହସିଲଦାର ଜ୍ୟୋତିର୍ମୟୀ ଦାସ  ଏବଂ ରା.ଉଦୟଗିରି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋରିମନ  ଖୋ୍ରସେଲ ଘଟଣା ସ୍ଥଳରେ ପହଞ୍ଚି ଶୋକାକୁଳ ପରିବାର ବର୍ଗ ଏବଂ  କ୍ଷତି ପୂରଣ ଦାବୀ କାରୀଙ୍କୁ ବୁଝାସୁଝା କରି ରେଡ଼କ୍ରସ ତରଫରୁ କୋଡିଏ ହଜାର, ଆର ଡି  ତରଫରୁ ତିରିଶି ହଜାର, ବନ ବିଭାଗ ତରଫରୁ କୋଡିଏ ହଜାର, ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ଦଶ ହଜାର ସହ ହରିଶ୍ଚନ୍ଦ୍ର ଯୋଜନାରେ ତିନି ହଜାର  ଏବଂ ସ୍ଥାନୀୟ ଯୁବ ଠିକାଦାରଙ୍କ ତରଫରୁ ଦଶ ହଜାର ମୋଟ ତେୟାନବେ ହଜାର ( ୯୩୦୦୦/-) ଟଙ୍କା ଆର୍ଥିକ ସହାୟତା ଦେବା ସହିତ ଅନ୍ତୋଦୟ  ଯୋଜନାରେ ସାମିଲ, ବାସଗୃହ ପାଇଁ ମଞ୍ଜୁରୀ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଠିରୁ ସହାୟତା ଲାଗି ପ୍ରଚେଷ୍ଟା କରେଇବେ ବୋଲି ପ୍ରତିଶୃତି ମିଳବା ପରେ ରାସ୍ତାରୋକ ହଟିଥିଲା l ସୁରକ୍ଷା ଦୃଷ୍ଟିରୁ ରାମଗିରି ଏବଂ ରା. ଉଦୟଗିରି ପୋଲିସ ମୁତୟନ ଥିଲେ l