ଗାଁ ସାଥୀ ପରିବର୍ତ୍ତନ କରିବାକୁ ଉଠିଲା ଦାବୀ: ମନରେଗା କାମ କରି ମିଳୁନାହିଁ ଟଙ୍କା, କାମ କରି ନଥିବା ଲୋକଙ୍କ ଏକାଉଣ୍ଟକୁ ଯାଉଛି ଟଙ୍କା….
ଦାରିଙ୍ଗବାଡି( ଆଶୋକ ସିଂ): ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମଧ୍ୟମରେ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ସରକାରଙ୍କ ବ୍ୟବସ୍ଥା ଥିବା ବେଳେ ବ୍ଲକ ପ୍ରଶାସନର ତଦାରଖର ଅଭାବ ଓ ଗାଁ ସାଥୀମାନଙ୍କ ଲାଭ ଖୋର ମନବୃତି ରଖି ମାନମାନୀ କରୁଥିବା ଯୋଗୁଁ ସାଧାରଣ ଶ୍ରମିକ ଶ୍ରେଣୀର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । କାମ କରି ବର୍ଷ ବର୍ଷ ବିତିଗଲାଣି ହେଲେ ପାରିଶ୍ରମିକ ମିଳିବାର ନାଁ ଧରୁନି । ଅପର ପକ୍ଷେ ଗାଁ ସାଥୀ ଜଣକ ଜାଲିଆତି କରି କାମ କରି ନ ଥିବା ଲୋକଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଟଙ୍କା ପଠାଇ ସେମାନଙ୍କ ଠାରୁ ଆଦାୟ କରି ଆୟେସ କରୁଥିବା ଅଭିଯୋଗ ହେଉଛି । ଏପରି ଏକ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମହା ପଞ୍ଚାୟତର ୧୨ ନମ୍ବର ୱାର୍ଡ ସିଦୁ ପାଦେର ଗ୍ରାମରୁ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ୨୦୨୪ ମସିହାରେ ଗ୍ରାମର ରିକାସା ପ୍ରଧାନ, ସୁଧାଂଶୁ ପ୍ରଧାନ ଓ ଅନିକ ପ୍ରଧାନଙ୍କ ସମେତ ପ୍ରାୟ ୨୦ଜଣ ଶ୍ରମିକ ଗାଁ ସାଥୀଙ୍କ ତତ୍ତ୍ଵାବଧାନରେ ମନରେଗା ଯୋଜନାରେ କାମ କରିଥିଲେ l ପ୍ରାୟ ଏକ ମାସ କାମ କରିବା ପରେ ପାରିଶ୍ରମିକ ପାଇଁ ଦାବୀ କରିଥିଲେ l କିନ୍ତୁ ଗାଁ ସାଥୀ ଜଣକ ଗ୍ରାମବାସୀଙ୍କୁ ଭୁଆଁ ବୁଲେଇ କାମ କରି ନଥିବା ଅନ୍ୟ ଗ୍ରାମର ଲୋକଙ୍କ ଏକାଉଣ୍ଟକୁ ଟଙ୍କା ପଠାଇ ହଡ଼ପ କରିଥିବା ଅଭିଯୋଗ ହୋଇଛି । ଏ ସଂପର୍କରେ ସ୍ଥାନୀୟ ପଞ୍ଚାୟତ ପ୍ରଶାସନ ଓ ବ୍ଲକ ପ୍ରଶାସନକୁ ଜଣାଇ ଥିଲେ ସୁଦ୍ଧା ଆଜକୁ ଦୁଇ ବର୍ଷ ବିତିଗଲାଣି ପ୍ରକୃତ ହିତାଧକାରୀଙ୍କୁ ପାରିଶ୍ରମିକ ମିଳୁ ନାହିଁ । ଗାଁ ସାଥୀଙ୍କ ଏଭଳି କାରନାମା ଯୋଗୁଁ ପଲ୍ଲୀ ସଭା ଜରିଆରେ ନୂତନ ଗାଁ ସାଥୀ ଚୟନ କରାଯାଇଛି l ହେଲେ ତାଙ୍କ ଜରିଆରେ କୌଣସି କାର୍ଯ୍ୟ କରିବାକୁ ବ୍ଲକ ପ୍ରଶାସନ ସହଯୋଗ କରୁ ନ ଥିବା ଗ୍ରାମବାସୀ କହିଛନ୍ତି । ଗାଁ ସାଥୀଙ୍କୁ ପରିବର୍ତ୍ତନ କରିବା ପାଇଁ ସୋମବାର ଦିନ ପୁଣି ଥରେ ବିଡ଼ିଓଙ୍କ ଦ୍ୱାରସ୍ତ ହୋଇଥିବା ବେଳେ ଏହାର ତୁରନ୍ତ ସମାଧାନ ନ କଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେବେ ବୋଲି ଗ୍ରାମର ଫିଲିପ ପ୍ରଧାନ ଓ ଦୁନୁକା ପ୍ରଧାନଙ୍କ ସମେତ ସମସ୍ତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।