ନାବାଳିକା ଛାତ୍ରୀଙ୍କୁ କାର ଭିତରେ ଦୁଷ୍କର୍ମ ଘଟଣା, ତିନି ଦିନ ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ଦାରିଙ୍ଗବାଡି ପୁଲିସ…..
ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ପରିବାର ଲୋକେ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଥାନା କେଶ ନଂ – ୧୮୨/୨୫ରେ ପୋସ୍କା ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଘଟଣାର ତିନିଦିନ ପରେ ସୋମବାର ସନ୍ଧ୍ୟାରେ ଦାରିଙ୍ଗବାଡ଼ି ପୁଲିସ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଥିଲା l ଅଭିଯୁକ୍ତ ଜଣକ ହେଉଛନ୍ତି ପ୍ରଶାନ୍ତ ପ୍ରଧାନ l ଆଜି ଡାକ୍ତରୀ ମାଇନା ପରେ ତାଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ବାଲିଗୁଡ଼ା ଏସ ଡି ପିଓ ରମେନ୍ଦ୍ର ପ୍ରସାଦ ସୂଚନା ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ ନାବାଳିକା ଜଣକ ଗତ ଅଗଷ୍ଟ ୩୧ ତାରିଖରେ ବଡ଼ ଭଉଣୀ ଘର ଦାରିଙ୍ଗବାଡ଼ି ଅଞ୍ଚଳକୁ ବୁଲିବାକୁ ଆସିଥିଲେ । ଗତ ୫ ତାରିଖ ଶୁକ୍ରବାର ସନ୍ଧ୍ୟାରେ ଭଉଣୀ ଘରଠାରୁ କିଛି ଦୂରରେ ଗଣେଶ ମୂର୍ତ୍ତି ଭସାଣି ପାଇଁ ବିରାଟ ଶୋଭାଯାତ୍ରା ହେଉଥିଲା । ତାହା ଦେଖିବା ପାଇଁ ସେଠାକୁ ଯାଇଥିଲେ । ଶୋଭାଯାତ୍ରା ଓ ଭସାଣି ସରିବା ପରେ ନାବାଳିକା ଜଣକ ପ୍ରସାଦ ଖାଇ ଭଉଣୀ ଘରକୁ ଫେରିବା ସମୟରେ ଜଣେ ବିବାହିତ ଯୁବକ କାର୍ରେ ଆସି ନାବାଳିକାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ଦାରିଙ୍ଗବାଡ଼ି ସହର ବାହାରେ କାର୍ ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୀଡ଼ିତା ନାବାଳିକା ଜଣକ ଅଭିଯୁକ୍ତ ଠାରୁ ଖସି ପଳେଇଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ନାବାଳିକାକୁ ଧରି ଘୋଷାଡ଼ି ଘୋଷାଡ଼ି ପୁଣି କାର୍ ନିକଟକୁ ନେଇ କାହାରିକୁ କହିଲେ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ଏବଂ ଘଟଣା ଘଟେଇବା ପରେ ଅଭିଯୁକ୍ତ ଫେରାର ଥିଲେ । ତିନିଦିନ ପରେ ଅଭିଯୁକ୍ତକୁ ଗିରଫ କରିବାରେ ପୁଲିସ ସକ୍ଷମ ହୋଇଥିଲା ଏବଂ ଆଜି କୋର୍ଟ ଚାଲାଣ କରିଥିବା ପ୍ରେସ ମିଟରେ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ଏମିତି ଘଟଣା ଘଟିଲେ ଗ୍ରାମରେ ସରପଞ୍ଚ କିମ୍ଭା କୌଣସି ଗାଁର ଲୋକଙ୍କୁ ନେଇ ଘଟଣାକୁ ଚପେଇବା ପାଇଁ ଚେଷ୍ଟା ନକରି ସିଧାସଳଖ ପୁଲିସର ସହାୟତା ମାଗିବାକୁ ଏସ ଡି ପିଓ ଅଂଞ୍ଚଳର ଲୋକଙ୍କୁ ବାର୍ତ୍ତା ମାଧ୍ୟମରେ ଅନୁରୋଧ କରିଛନ୍ତି ।