ବସ ଧକ୍କାରେ ଜଣେ ମୃତ ଦୁଇ ଗୁରୁତର, ଦୁଇଟି ବାଇକ ଗୋଟିଏ କାର ଚୁରମାର…

ଧାରଣାରେ ବସିଲେ ଗ୍ରାମବାସୀ: ୫୦ଲକ୍ଷ ଟଙ୍କା କ୍ଷତି ପୂରଣ ଦାବୀ, ବ୍ରାହ୍ମଣୀଗାଁ ଠାରୁ ଦାରିଙ୍ଗବାଡି ବସ ଚଳାଚଳ ଠପ୍

csp

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ବେପାରୁଆ ଗାଡ଼ି ଚାଳନା ଯୋଗୁଁ ଚାଲିଗଲା ଜଣକ ଜୀବନ ଓ ଦୁଇଜଣ ଗୁରୁତର ଥିବା ବେଳେ ଗୋଟିଏ କାର ଦୁଇଟି ବାଇକ୍ ଚୁର ମାର ହୋଇଥିବା ଜଣା ପଡ଼ିଛି । ମୃତ ବ୍ୟକ୍ତି ଜଣକ ହେଲେ ବ୍ରାହ୍ମଣୀଗାଁ ଧର୍ମ ସାହିର ବଣ୍ଡାସା ମାଝୀ(୬୨), ଆହତମାନେ ହେଲେ ବଣ୍ଡାବୁଡ଼ି ମାଝୀ (୫୦) ଓ ତାଙ୍କ ସ୍ଵାମୀ ପେଟା (ପିତର) ମାଝୀ (୫୫) l ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରଯାଇଥିବା ଜଣା ପଡ଼ିଛି । ଅନଳ ରଣସିଂଙ୍କ ହୁଣ୍ଡାଇ କାର, ମରେନ ମଳିକର ବାଇକ, କରୁଣାକର କାଡ୍ରାକାର ଲୁନା ବାଇକ ଭାଙ୍ଗି ଚୁର ମାର ହୋଇଥିବା ଜଣା ପଡ଼ିଛି । ବ୍ରାହ୍ମଣୀଗାଁ ଥାନା ଆଇଆଇସି ବିଜୟ କୁମାର ହାଇବୁରୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇ ଥିବା ବେଳେ ଗ୍ରାମବାସୀମାନେ ରାସ୍ତା ଅବରୋଧ କରି ମୃତ ବ୍ୟକ୍ତି ତଥା ଆହାତ ବ୍ୟକ୍ତି, ବାଇକ୍ ଓ କାରର କ୍ଷତି ପୂରଣ ବାବଦକୁ ୫୦ଲକ୍ଷ ଟଙ୍କା ଦାବି କରିଛନ୍ତି । ଏହା ସହ ଜିଲ୍ଲା ପ୍ରଶାସନ ଓ ଗାଡ଼ି ମାଲିକ ଆସି ସମାଧାନ ନ ହେବା ଯାଏଁ ଧାରଣାରେ ବସି ରହିବେ ବୋଲି ଚେତାବନୀ ଦେଇ ଥିଲେ । ସୂଚନା ଅନୁଯାୟୀ ସକାଳୁ ପ୍ରାୟ ୬ଟା ବେଳେ ପେଟା ମାଝୀ ଓ ତାଙ୍କ ସ୍ତ୍ରୀ ବଣ୍ଡା ବୁଡ଼ି ମାଝୀ ଚା ଦୋକାନ ଖୋଲି ଥିଲେ l ବଣ୍ଡାସା ମାଝୀ ସେହି ଦୋକାନକୁ ଚା ପିଇବାକୁ ଯାଇଥିଲେ l ସେହି ସମୟରେ ସରାମୁଳୀରୁ ବ୍ରହ୍ମପୁର ଅଭିମୁଖେ ଯାଉ ଥିବା ଏକ ଘରୋଇ କମ୍ପାନୀ ବସ ପଦ୍ମାଳୟ ବସ ନଂ ଓଡ଼ି 0୭କେ ୮୯୬୫ ଦୃତ ଗତିରେ ଆସି ଅନ୍ୟ ଏକ ବସକୁ ଓଭର ଟେକ୍ କରିବା ସମୟରେ ପ୍ରଥମେ ସେଠାରେ ଥିବା ଏକ କାରକୁ ଧକ୍କା ଦେଇ ଚା ଦୋକାନ ଆଡେ ମାଡି ଯାଇ ଥିଲା । ଚା ପିଇବାକୁ ଯାଇଥିବା ବଣ୍ଡାସା ମାଝୀଙ୍କ ଉପରକୁ ଗାଡ଼ି ଚଢ଼ି ଯାଇ ଥିଲା l ଘଟଣା ସ୍ଥାଳରେ ବଣ୍ଡାସାଙ୍କ ମୃତ୍ୟୁ ଘଟିଥିବା ବେଳେ ପେଟା ଓ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇ ଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ମେଡ଼ିକାଲରେ ଭର୍ତ୍ତି କରିଥିଲେ l ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲ ନେବାକୁ ପରାମର୍ଶ ଦେଇଥିଲେ ।