ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଥାନା ଗାମୁଣ୍ଡି ଗ୍ରାମରେ ଆଜି କୂଅ ଭିତରୁ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ହେମ ଗୌଡ଼(୭୦)। ରବିବାର ପୂର୍ବାହ୍ନ ସମୟରେ ସେ ଘରୁ ବାହାରକୁ ଯାଇଥିଲେ । ଏହା ପରେ ଆଉ ଘରକୁ ଫେରିନଥିଲେ । ବହୁ ସମୟ ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ତାଙ୍କ ବୋହୁ ଦିନସାରା ଖୋଜାଖୋଜି କରୁଥିଲେ । ତାଙ୍କ ଶାଶୂଙ୍କ କୌଣସି ସୂଚନା ପାଇନଥିବା ବେଳେ ସନ୍ଧ୍ୟା ସମୟରେ ବୃଦ୍ଧା ଜଣକ କୂଅରେ ଭାସୁଥିବା ଦେଖି ସ୍ଥାନୀୟ ଲୋକ ତାଙ୍କ ଘରେ ଖବର ଦେଇଥିଲେ ବୋଲି ତାଙ୍କ ବିବାହିତ ଝିଅ ବବିତା ପ୍ରକାଶ କରିଛନ୍ତି । କିଭଳି ସେ କୂଅରେ ପଡିଲେ ତାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଖବର ପାଇ ଭଞ୍ଜନଗର ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ କୂଅରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇ ତଦନ୍ତ ଚଳାଇଛି । ଅନ୍ୟପଟେ ହେମଙ୍କ ସ୍ୱାମୀ ଦୀର୍ଘ ଦିନ ହେଲା ମୃତ୍ୟୁ ବରଣ କରିଥିବା ବେଳେ ଏକମାତ୍ର ସାହାରା ଥିବା ପୁଅ ଗନ୍ଧି ଗୌଡ଼ ଜୀବନ ମରଣ ସହିତ ସଂଗ୍ରାମ କରୁଛି । ଗନ୍ଧି ସୁରତରେ ସୁତା କଳରେ କାମ କରୁଥିଲେ । କିଛି ମାସ ହେଲା କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ପୁଅ ଶଯ୍ୟାସାୟୀ ରହିଥିବା ସମୟରେ ମାଆର ଏଭଳି ମୃତ୍ୟୁ ବରଣ କରିଛି । ଏହି ଘଟଣା ଜଣାପଡିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।