ରୋଜଗାର କ୍ଷମ ହେବାକୁ ହେଲେ ନିଜସ୍ଵ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଆହ୍ଵାନ, ଋଷି ମାଳ ସ୍ନାତକ ଇନୋଭେଶନ ଏବଂ ଷ୍ଟାର୍ଟ ଅପ୍ ପ୍ରତିଯୋଗିତା ଅନୁଷ୍ଠିତ….

ଦାରିଙ୍ଗବାଡି(ଆଶୋକ ସିଂ):  ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଧେଶ କ୍ରମେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟ ପରିସରରେ ଇନୋଭେଶନ ଓ ଷ୍ଟାର୍ଟ ଅପ୍ ସମ୍ପର୍କିତ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼.ଭାସ୍କର ଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡି ବିପିମ୍ ପିଣ୍ଟୁ ନାୟକ, ରିଶୋର୍ଷ ପର୍ସନ ତଥା ସଫଳ ଉଦ୍ୟୋଗୀ ପୁଷ୍ପା ରାଣୀ ଜେନା, ଅଧ୍ୟାପକ ବିମଳ ବସ୍ତରାଇ, କ୍ରିଷ୍ଣା କୁମାର ମାଝୀ, ସୁଜ୍ଞାନ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସ୍ନାତକ ମହାବିଦ୍ୟାଳୟର ପ୍ରଥମ ଦ୍ୱିତୀୟ ଓ ତୃତୀୟ ବର୍ଷ କଳା ଓ ବାଣିଜ୍ୟର ଛାତ୍ରଛାତ୍ରୀ ଯୋଗ ଦେଇ ନିଜ ନିଜର ପ୍ରକଳ୍ପ ପତ୍ର ଗୁଡିକ ଉପସ୍ଥାପନ କରିଥିଲେ । ଶିଳ୍ପ ବିହୀନ କନ୍ଧମାଳ ଜିଲ୍ଲାରେ ରୋଜଗାର କ୍ଷମ ହେବା ପାଇଁ କଣ  ବିକଳ୍ପ ନିଆଯାଇ ପାରିବ ସେସମସ୍ତ ଦିଗକୁ ଲକ୍ଷ ରଖି, ପାଠ ପଢା ସରିବା ପରେ ରୋଜଗାର କ୍ଷମ ହୋଇ ନୂତନ ପରିଚୟ ସୃଷ୍ଠି କରିବା ପାଇଁ କଣ ସବୁ ନୁଆ ପଦ୍ଧତି ଆପଣେଇ ପାରିବେ ସେ ନେଇ ମତାମତ ଗ୍ରହଣ କରାଯାଇ ଥିଲା । ଆତ୍ମନିର୍ଭରଶିଳ ହେବା ପାଇଁ  କ୍ଷୁଦ୍ର ଶିଳ୍ପ ବା ଉଦ୍ୟୋଗୀ ହେବା ପାଇଁ ହେଲେ କଣ ସବୁ ସରକାରୀ ସୁବିଧା ରହିଛି, ପାଠ ପଢା ସରିବା ପରେ ଚାକିରୀ ପଛରେ ନ ଗୋଡ଼ାଇ ନିଜ ଅଞ୍ଚଳର ଚାହିଦା ଅନୁଯାୟୀ ବିଭିନ୍ନ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା କରି ରୋଜଗାର ସୃଷ୍ଠି କରିବାର ପ୍ରୟାସ କରିବାକୁ ମୁଖ୍ୟ ଅତିଥି ଶ୍ରୀ ନାୟକ ପରାମର୍ଶ ଦେଇଥିଲେ ଏବଂ ଲାପଟପରୁ ସରକାରଙ୍କ ସମସ୍ତ ଯୋଜନା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଜଣାଇ ଥିଲେ । କନ୍ଧମାଳ ଜିଲ୍ଲା ଲୋକେ ବିଶେଷତଃ କୃଷି ଓ ବନ୍ୟଜାତ ଦ୍ରବ୍ୟ ଉପରେ ନିର୍ଭର କରନ୍ତି l ବିଶେଷ କରି ଅର୍ଥକାରୀ ଫସଲ ଭାବେ ମକା, ହଳଦୀ, କାନ୍ଦୁଲ, ମାଣ୍ଡିଆ, ବିରି, କୋଳଥ ଆଦି ଚାଷ ଉପରେ ନିର୍ଭର କରିଥାନ୍ତି । କାମଧନ୍ଦା ଅଭାବରୁ ରୋଜଗାର ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ମଧ୍ୟ ଯାନ୍ତି । ଉଚ୍ଚ ଶିକ୍ଷା ବିଭାଗର ଷ୍ଟାର୍ଟ ଅପ୍ କାର୍ଯ୍ୟକ୍ରମ ଆଗାମୀ ଭବିଷ୍ୟତରେ ଏକାଧିକ ଉଦ୍ୟୋଗ ପତି ସୃଷ୍ଟି କରି ରୋଜଗାର କ୍ଷମ ହେବାର ସୁଯୋଗ ସୃଷ୍ଟି କରି ପାରିବ ବୋଲି ଆଜିର କାର୍ଯକ୍ରମରେ ମତପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୧୦ଜଣ ଛାତ୍ରଛାତ୍ରୀ ଅଞ୍ଚଳର ଚାହିଦା ଅନୁଯାୟୀ ବିଭିନ୍ନ ପ୍ରକଳ୍ପର ନମୁନା ଉପସ୍ଥାପନ କରି ସେମାନଙ୍କ ମଧ୍ୟରୁ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ମାନ ପତ୍ର ସହ ଟ୍ରଫି ପ୍ରଦାନ କରାଯାଇ ଥିଲା । ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀମାନେ ସହଯୋଗ କରିଥିଲେ ।