କୋଟଗଡରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ….

କୋଟଗଡ(ଦିପେନ୍ଦ୍ର ନାୟକ): ସୋମବାର ଦିନ କୋଟଗଡ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । କୋଟଗଡ ପଂଚାୟତ ସମିତିର ମିଶନ ଶକ୍ତି ସଭାଗୃହରେ ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ l  ଜିଲ୍ଲାପାଳ  ସମୁଦାୟ  ସତୁରି ଗୋଟି ଅଭିଯୋଗ ଶୁଣାଣି କରିଥିଲେ ।  ଆସିଥିବା ଅଭିଯୋଗ ମଧ୍ୟରେ ମୁଖ୍ୟତଃ  ରାସ୍ତା, ବିଜୁଳି ସଂଯୋଗ, ନୁଆଁ ରେସନ କାର୍ଡରେ ନାମ ରେଜିଷ୍ଟେସନ, ବ୍ଲକରେ ଜେଇ ଆବଶ୍ୟକ ମୁତାବକ ନ ଥିବା, ଏହି ଭଳି ଅନେକ ସମସ୍ୟା ନେଇ ଅଞ୍ଚଳର ଲୋକେ ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗରେ ସାମୁହିକ ସମସ୍ୟା ସହ କିଛି ବ୍ୟକ୍ତି ଗତ ସମସ୍ୟା ନେଇ ଆସିଥିବା ଦେଖିବାକୁ ମିଳିଛି । ବର୍ଷ ବର୍ଷ ଧରି ଛେଳି ଚାଷୀ ଗୁହାଳ କାମ କରି ଟଙ୍କା ପାଇ ନଥିବା ଅଭିଯୋଗ ବି ଆସିଥିଲା l ମନରେଗାରେ କାମ ହୋଇଛି କିନ୍ତୁ ମଜୁରୀ ମିଳିନ ନ ଥିବା ବି ଅଭିଯୋଗ ଆସିଥିବା ଦେଖିବାକୁ ମିଳିଛି ।  ତିନି ବର୍ଷ ହେବ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପୋଷାକ ବାଣ୍ଟି ଥିଲେ ମଧ୍ୟ ଏବେ ସୁଦ୍ଧା ଛାତ୍ରଛାତ୍ରୀ ପାଇ ନ ଥିବା ଅଭିଯୋଗ ହୋଇଛି l  ସ୍ୱୟଂ ସହାୟିକା ଗୋଷ୍ଠୀ ଏହି ଅଭିଯୋଗ ଆଣିଥିଲେ । ବାରମ୍ବାର ଅଭିଯୋଗ କରିବା ସସତ୍ବେ ଆମ୍ଭେ ଆମର ପ୍ରାପ୍ୟ ପାଇପାରୁ ନୁ ବୋଲି ପ୍ରକାଶ କରିଛନ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ । କୋଟଗଡ଼ରେ  ବହୁ ଅଞ୍ଚଳରେ ନେଟୱାର୍କ ନାହିଁ l ଆଜି ଜିଲ୍ଲାପାଳଙ୍କ ପାଖରେ ଏହି ଅଭିଯୋଗ ବି ଆସିଥିଲା ।  ସୁବର୍ଣ୍ଣଗିରୀ ଗ୍ରାମ ପଂଚାୟତ ଓ ମାର୍ଲାଙ୍ଗା ଗ୍ରାମ ପଂଚାୟତ ଏହି ଦୁଇ ସରପଞ୍ଚଙ୍କ ନାମରେ  ମିଥ୍ୟା ସତ୍ୟ ପାଠ ଦାଖଲ କରି  ସରପଞ୍ଚ ପଦବୀ ହାତେଇ ଥିବା ଅଭିଯୋଗ କରିଛନ୍ତି । ଉଦ୍ୟାନ ବିଭାଗ ଆମ୍ବ ଓ କାଜୁ ଚାଷୀଙ୍କୁ ବାରମ୍ବାର ଅବହେଳା କରୁଥିବା ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ଆସିଥିଲା ।  ସମସ୍ତ ଅଭିଯୋଗ ଶୁଣିଲା ପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ସମାଧାନ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧିକାରୀ ହରିଶ ବିଶି, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ବାଲିଗୁଡା ଉପ ଜିଲ୍ଲାପାଳ ପ୍ରଣୀତା ଦାସ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ, ପିଏ ଆଇଟିଡିଏ  କୃପାସିନ୍ଧୁ ବେହେରା, ବ୍ଲକ ଅଧ୍ୟକ୍ଷା ପିଙ୍କି କହଁର, କୋଟଗଡ଼ ବିଡ଼ିଓ ଶୁଭକାନ୍ତ ନାୟକଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ  ରହିଥିଲେ ।